ଅତିରିକ୍ତ ବଜେଟ୍ ପୂର୍ବରୁ ମାର୍ଗଦର୍ଶିକା
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ୍): ବଜେଟ୍ ଅର୍ଥର ୪୦%ରୁ କମ୍ ବ୍ୟୟ କରିଥିଲେ ଯୋଜନା ଓ ସଂଯୋଜନା ବିଭାଗକୁ ପ୍ରସ୍ତାବ ଦେବା ମନା । ତାହା ବିଚାରକୁ ନିଆଯିବନାହିଁ । ନଭେମ୍ବରରେ ବିଧାନସଭାରେ ଆଗତ ହେବାକୁ ଥିବା ଅତିରିକ୍ତ ବଜେଟ୍ ପୂର୍ବରୁ ଏହି ମାର୍ଗଦର୍ଶିକା ଜାରିକରିଛି ଅର୍ଥ ବିଭାଗ । ଫଳରେ କିଛି ବିଭାଗ ଚିନ୍ତାରେ ପଡ଼ିଛନ୍ତି । ବିଶ୍ୱରେ ଅଧିକାଂଶ ରାଷ୍ଟ୍ର ଅର୍ଥନୈତିକ ସଂକଟ ଦେଇ ଗତି କରୁଥିଲା ବେଳେ ରାଜ୍ୟର ରାଜସ୍ୱ ୧୬% ବୃଦ୍ଧିପାଇଛି । ଓଡ଼ିଶା ସରକାରଙ୍କ ସଠିକ ଅର୍ଥନୈତିକ ପରିଚାଳନା ଓ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଏହି ସଫଳତା ମିଳିଛି । ସରକାର ଗତ ୨ ଜୁଲାଇରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ଓ ଲୋକାଭିମୁଖୀ ବଜେଟ୍ ଉପସ୍ଥାପନ କରିଥିଲେ । ଫୋକସ୍ରେ ଥିଲା ମହିଳାଙ୍କ ସମାଗ୍ରିକ ଉନ୍ନତି ସହ କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି କ୍ଷେତ୍ର ।
୨୦୨୦-୨୧ରେ ବଜେଟ୍ ପରିମାଣ ଥିଲା ୧ ଲକ୍ଷ ୫୦ ହଜାର କୋଟି ଥିଲାବେଳେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ର ପରିମାଣ ୧ ଲକ୍ଷ ୭୦ ହଜାର କୋଟି ଥିଲା । ବଜେଟ୍ର ଆକାର ପୂର୍ବ ଆର୍ଥିକ ବର୍ଷ ଠାରୁ ୧୭.୬% ବୃଦ୍ଧି ପାଇଥିଲା । ସେହିପରି ବ୍ୟୟରେ ବି ୨୮ଗୁଣ ବୃଦ୍ଧି ଘଟିଥିବାର ଦର୍ଶାଯାଇଥିଲା । ନଭେମ୍ବର ଦ୍ୱିତୀୟ ବା ତୃତୀୟ ସପ୍ତାହ ସୁଦ୍ଧା ବିଧାନସଭାରେ ତିନି ମାସିଆ ଅତିରିକ୍ତ ବଜେଟ୍କୁ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏହି ଅତିରିକ୍ତ ବଜେଟ୍ରେ ଅନୁରୂପ ଭାବେ ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ଭିତ୍ତିଭୂମି ବିକାଶ, କୃଷକ ଆୟ ବୃଦ୍ଧି, ସାରା ରାଜ୍ୟରେ ପାନୀୟ ଜଳ ଯୋଗାଣ ସହ ଗ୍ରାମାଞ୍ଚଳରେ ଉନ୍ନତି ପାଇଁ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି । ଅର୍ଥ ବିଭାଗ ଦ୍ୱାରା ଖର୍ଚ୍ଚର ସଂପୂର୍ଣ୍ଣ ବିବରଣୀ ସହ ନୂଆ ପ୍ରସ୍ତାବ ଦେବାକୁ ପରାମର୍ଶ ଦିଆଯାଇଛି ।
ଏନେଇ ନୂଆ ମାର୍ଗଦର୍ଶିକା ବି ପ୍ରକାଶ ପାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ୍ ଗଣମାଧ୍ୟକୁ କହିଛନ୍ତି ଯେ ଅତିରିକ୍ତ ବଜେଟ୍ ପ୍ରସ୍ତୁତି ନେଇ ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟ କରାଯିବ । ସମସ୍ତ ବିଭାଗ ଚଳିତ ମାସ ୩୧ ସୁଦ୍ଧା ସେମାନଙ୍କର ପ୍ରସ୍ତାବ ଦେବେ । ଯେଉଁ ବିଭାଗ ବଜେଟ୍ ଅର୍ଥର ୪୦%ରୁ କମ୍ ଅର୍ଥ ବ୍ୟୟ କରିଥିବେ ମେସାନଙ୍କ ପ୍ରସ୍ତାବ ଗ୍ରହଣ ହେବ ନାହିଁ କି ବିଚାରକୁ ନିଆଯିବନାହିଁ । ସେ କହିଛନ୍ତି ଯେ, ୨୦୨୨-୨୩ ବାର୍ଷିକ ବଜେଟ୍ ପ୍ରସ୍ତୁତି ସମୟରେ ବିତ୍ତୀୟ ନିଅଣ୍ଟ ଜିଏସ୍ଡିପିର ୩% ରହିଥିଲା । ସେହି ସ୍ଥିତି ଆମେ ରଖିବାକୁ ଚେଷ୍ଟା କରିଛୁ । ଏନେଇ ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବ, ଅର୍ଥ ବିଶେଷଜ୍ଞ, ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ନାବାର୍ଡ଼, ଟ୍ରେଡ୍ ୟୁନିଅନ ଓ ସଂଗଠନ ନେତାଙ୍କ ଭଳି ବିଶେଷଜ୍ଞ ପରାମର୍ଶ ନିଆଯିବ ।
ଉଲ୍ଲେଖନୀୟ ଯେ, ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଓଡ଼ିଶା ସରକାରଙ୍କ ଅଧିନରେ ମୋଟ୍ ୪୦ଟି ବିଭାଗ ମଧ୍ୟରୁ ଗୃହ, ପୂର୍ତ୍ତ, କୃଷି, ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ୍, ରାଜସ୍ୱ, ଜଳସମ୍ପଦ, ମହିଳା ଓ ଶିଶୁ କଲ୍ୟାଣ ଏବଂ ଯୋଜନା ଓ ସଂଯୋଜନ ବିଭାଗ ଭଳି ୨୫ଟି ବିଭାଗ ବଜେଟ୍ ଅର୍ଥ ସଠିକ୍ ସମୟରେ ଖର୍ଚ୍ଚ କରିପାରଥିଲେ । ବାକି ୧୫ଟି ବିଭାଗ ବଜେଟ୍ ଅର୍ଥ ଆନୁପାତିକ ଭାବେ ଖର୍ଚ୍ଚ କରିପାରି ନଥିଲେ । ମୋଟ୍ ବ୍ୟୟବରାଦର ୧୫.୦୭% ଅର୍ଥ ଖର୍ଚ୍ଚ ହୋଇଥିଲା । ଅର୍ଥାତ ୨୩୪୭.୧୭ କୋଟି ଟଙ୍କା ଖର୍ଚ୍ଚ ହୋଇପାରିନ ଥିଲା । ଖର୍ଚ୍ଚ କରିନପାରିବା ବିଭାଗ ତାଲିକାରେ ଶକ୍ତି ବିଭାଗ ସର୍ବାଗ୍ରେ ଥିଲା । ସେହିପରି ଶିଳ୍ପ ବିଭାଗ ବି ୨୩.୫୨% ଓ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆର୍ଡି) ୩୦.୨୬% ବ୍ୟୟ କରିଥିଲେ । ତେଣୁ ଏଥର ଅତିରିକ୍ତ ବଜେଟ୍ ପୂର୍ବରୁ କେଉଁ ବିଭାଗ କେତେ ବ୍ୟୟ କରୁଛନ୍ତି ତାହା ଦେଖିବା କଥା ।