ଅଧାରେ ରହିଲା ହେତୁବାଦିଙ୍କ ବିରିଆନି ପାର୍ଟି
ଭୁବନେଶ୍ୱର: ଦୀପାବଳି ଅମାବାସ୍ୟା ଦିନ ସୂର୍ଯ୍ୟୋପରାଗରେ ହେତୁବାଦିମାନେ ଚିକେନ ବିରିଆନି ଖାଇବାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ଚନ୍ଦ୍ରଗ୍ରହଣ ଦିନ ମଧ୍ୟ ଏପରି ବିରିଆନି ଖାଇ ସମାଜରେ ଥିବା କୁସସ୍କାର ଓ ଅନ୍ଧବିଶ୍ୱାସକୁ ଦୂର କରିବାକୁ ହେତୁବାଦିମାନେ ମତ ଦେଇଥିଲେ ।
ଗତକାଲି ରାଜଧାନୀର ଲୋହିଆ ଏକାଡେମିରେ ହେତୁବାଦି ମାନେ ବିରିଆନି ଭୋଜି ଆୟୋଜନ କରିବା ସମୟରେ ପରମ୍ପରାବାଦି ଓ ହେତୁବାଦିଙ୍କ ମଧ୍ୟରେ ଗଣ୍ଡଗୋଳ ଓ ଧସ୍ତାଧସ୍ତି ହୋଇଛି । ପୋଲିସ ଉପସ୍ଥିତିରେ ଏଭଳି ସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା । ପରମ୍ପରାବାଦିମାନେ ହେତୁବାଦିଙ୍କ କାର୍ଯ୍ୟରେ କ୍ରୋଧିତ ହୋଇଥିଲେ । ଉଭୟ ପକ୍ଷରୁ ଝଗଡ଼ା ହୋଇ ଫୁଲକୁଣ୍ଡ ଭୋଙ୍ଗିବା ସହ ହେତିବାଦିଙ୍କ ଉପରେ ଗୋବରମାଡ କରିଥିଲେ କିଛି ବ୍ୟକ୍ତି । ଗଣ୍ଡଗୋଳକୁ ରୋକିବା ପୋଲିସ ପାଇଁ କାଠିକର ପାଠ ହେବାରୁ ସାମାନ୍ୟ ମୃଦୁ ଲାଠି ଚାଳନା କରିଥିଲା ପୋଲିସ । ଘଟଣାରେ ପୋଲିସ ୮ଜଣଙ୍କୁ ଅଟକ ରଖିବା ସହ ଉଭୟ ପକ୍ଷଙ୍କୁ ବୁଝାଇଥିବା ଜଣାପଡିଛି ।
ଲୋହିଆ ଏକାଡେମିରେ ବିଜ୍ଞାନ ଓ ଅନ୍ଧବିଶ୍ୱାସ ସମ୍ପର୍କରେ ଏକ ଆଲୋଚନା ସହ ବିରିଆନି ଭୋଜୀର ଆୟୋଜନ କରାଯାଇଥିଲା । ଏବଂ ଉକ୍ତ ସ୍ଥାନରେ ପାର୍ଟି ଆୟୋଜନ କରାଯିବା ନେଇ ଆଗରୁ ମଧ୍ୟ ସମସ୍ତଙ୍କୁ ସୂଚନା ଦିଆଯାଇଥିଲା । ଏନେଇ କାଲି ଦିନ ତମାମ ହେତୁବାଦିଙ୍କ କାର୍ଯ୍ୟକଳାପକୁ ନେଇ ଅନେକ ଗଣମାଧ୍ୟମରେ ଆଲୋଚନା କରାଯାଉଥିଲା । ଉଭୟ ପକ୍ଷ ନିଜ ନିଜର ମତ ଉପସ୍ଥାପନ କରୁଥିଲେ । ତେବେ ବିରିଆନି ପାର୍ଟି ସମୟରେ କିଛି ପରମ୍ପରାବାଦି ଜୟ ଶ୍ରୀରାମ ନାମ ଧରି ଲୋହିଆ ଏକାଡେମି ଭିତରେ ପସିଥିଲେ । ଧର୍ମ ଓ ପରମ୍ପରାକୁ ବିରୋଧ କରୁଥିବା ଓ ଏହାକୁ କୁସସ୍କାର କହୁଥିବା ହେତୁବାଦିଙ୍କ ସହ ପ୍ରଥମେ ଯୁକ୍ତି ଓ ପରେ ଯୁକ୍ତିରୁ ହାତାହାତି ହେବାଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ବିରିଆନି ହାଣ୍ଡିକୁ ପରମ୍ପରାବାଦିମାନେ ଫିଙ୍ଗି ଦେଇଥିବା ସୂଚନା ରହିଛି । ଏହାର ଜବାବରେ ହେତୁବାଦିମାନେ ମଧ୍ୟ ପାଲଟା ଆକ୍ରମଣ ଓ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ସ୍ଥାନିୟ ଲୋକମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାବୁଝି କରିବା ସହ ହେତୁବାଦିଙ୍କୁ ଏପରି ନକରିବାକୁ ବାରଣ କରିଥିଲେ ।
ଉଭୟ ପକ୍ଷରୁ ଧସ୍ତାଧସ୍ତି ହୋଇ ଭଙ୍ଗାରୁଜା ହୋଇଥିବା କାରଣରୁ ଲୋହିଆ ଏକାଡେମିର ସେକ୍ରେଟେରି ଖାରବେଳନଗର ଥାନାରେ ମାମଲା ରୁଜୁ କରିଥିବା ଜଣାପଡିଛି । ଚନ୍ଦ୍ର ଗ୍ରହଣ ସମୟରେ ହେତୁବାଦି ମାନେ ଏହି ଘଟଣାର ପୁନରାବୃତ୍ତି କଲେ ପରମ୍ପରାବାଦୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।