ଆଖିବୁଜିଲେ ୮୦ ବର୍ଷରେ ପୂର୍ବତନ ରାଷ୍ଟ୍ରଦୁତ
ଭୁବନେଶ୍ୱର:(କାଞ୍ଚନଟିଭି/ରୂପାଲୀ ନାୟକ) ଅବସର ବେଉରିଆଙ୍କ ପରଲୋକ । ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ଏକ ଘରୋଇ ହସ୍ପିଟାଲରେ ଆଖି ବୁଝିଛନ୍ତି ଅବସର ବେଉରିଆ ।
ଗତ ରାତି ୨ଟା ୨୦ ମିନିଟ ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି ଶ୍ରୀ ବେଉରିଆ ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ,, ମିଆଁମାର, ଶ୍ରୀଲଙ୍କା ଏବଂ ରୁଷରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ। ସେ ଜି -୭୭ ସମ୍ମିଳନୀରେ ଭାରତୀୟ ପ୍ରତିନିଧି ଦଳର ସଦସ୍ୟ ଭାବରେ ଅଂଶଗ୍ରହଣ କରିଥିଲେ। ଏଥିସହିତ ବହୁବାର ବିଭିନ୍ନ ଅନ୍ତର୍ଜାତୀୟ ସମ୍ମିଳନୀରେ ବି ଯୋଗ ଦେଇଥିଲେ। ଓଡିଆ ଷ୍ଟଡିଜ୍ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଥିଲେ।
ଶ୍ରୀ ବେଉରିଆ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱର ସହିଦନଗର ସ୍ଥିତ ତାଙ୍କ ବାସଭବନରୁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପରିବାର ପକ୍ଷରୁ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଛି । ଏବେ ତାଙ୍କର ମରଶରୀରକୁ ଆପୋଲୋ ହସ୍ପିଟାଲରେ ରଖାଯାଇଛି।ସେଠାରେ ତାଙ୍କ ସହଧର୍ମିଣୀ ଅଛନ୍ତି। ବିଦେଶରେ ରହୁଥିବା ତାଙ୍କ ଦୁଇ ଝିଅ ଭୁବନେଶ୍ୱରରେ ପହଞ୍ଚିବା ପରେ ଅବସର ବେଉରିଆଙ୍କର ଶେଷକୃତ୍ୟ କରାଯିବ।
ସୂଚନାଯୋଗ୍ୟ ଯେ, ଶ୍ରୀଯୁକ୍ତ ଅବସର ବେଉରିଆ ଜଣେ ଦକ୍ଷ କୁଟନୀତିଜ୍ଞ ଭାବେ ବେଶ୍ ଜଣାଶୁଣା ।
ରାଷ୍ଟ୍ରଦୂତ ହେବା ପୂର୍ବରୁ ସେ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ । ଏହାପରେ ସେ ଅଧ୍ୟାପକ ଭାବେ ମଧ୍ୟ କାମ କରିଛନ୍ତି ।ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।