ଆଜି ଶ୍ରୀଜୀଉଙ୍କ ଖସାପଡା ଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୦ ଦର୍ଶନ ବନ୍ଦ
ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଚୈତ୍ର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ଲାଗି ନୀତି ହୁଏ । ଏହା ଏକ ଗୁପ୍ତ ନୀତି। ଏଣୁ ସୋମବାର ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଅବଗତି ନିମନ୍ତେ ଏହି ସୂଚନା ଦିଆଯାଇଛି । କଥାରେ ଅଛି ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ ପାଳନ ହେଇଥାଏ । ଶ୍ରୀମନ୍ଦିରର ବିଭିନ୍ନ ପରମ୍ପରା ମଧ୍ୟରୁ ଶ୍ରୀଜିଉଙ୍କ ଖସାପଡା ନୀତି ଅନ୍ୟତମ । ଏହା ଏକ ଗୁପ୍ତ ସେବା ହେଇଥିବାରୁ ନୀତି ସମୟରେ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ । ଏହି ନୀତି ପାଇଁ ପୂର୍ବ ଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା ଦେଇଥାନ୍ତି । ସେହିପରି ଶୁଦ୍ଧସୁଆର ଖଳି, କଇଁଥ ଅଠା ଯୋଗାଇଥାନ୍ତି। ମଧ୍ୟାହ୍ନ ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଏ । ବେହେରଣ ଦ୍ୱାର ଦେଇ ଦଇତାପତିମାନେ ଗର୍ଭଗୃହକୁ ଯାଇ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି ସମ୍ପନ୍ନ କରିଥାନ୍ତି । ତେବେ ଏହି ନୀତି ଦଇତାପତି ସେବାୟତମାନଙ୍କର ଗୋଷ୍ଠୀଗତ ଏବଂ ଗୁପ୍ତ ସେବା ଅଟେ । ବର୍ଷକୁ ୨ ରୁ ୩ ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ । ଗୁଣ୍ଡିଚା ଯାତ୍ରା ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ । ସେହିପରି ଦିଅଁମାନେ ଦୋଳ ପୂର୍ଣ୍ଣିମାରେ ହୋଲି ଖେଳିବା ଯୋଗୁଁ ତାଙ୍କ ଶ୍ରୀଅଙ୍ଗର କେତେକ ଅଂଶ କ୍ଷତବିକ୍ଷତ ହୋଇଯାଇ ଥାଏ । ତେଣୁ ଏଥିପାଇଁ ମଧ୍ୟ ଖସାପଡା ନୀତି ହୋଲି ପରେ ଅନୁଷ୍ଠିତ ହୋଇଥାଏ । ଏହି ନୀତି ସମ୍ପୂର୍ଣ୍ଣ ହେବା ପାଇଁ ୪ ଘଣ୍ଟା ସମୟ ଲାଗିଥାଏ । ଖସାପଡା ନୀତି ସମ୍ପୂର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ। ଖସାପଡା ନୀତି ସରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଚାଲୁ ରହିବ ।