ଆସନ୍ତା ୩ ଦିନ ମଧ୍ୟ ରାଜ୍ୟରେ ମୌସୁମୀଜନିତ ବର୍ଷା ଜାରି ରହିବ
ଭୁବନେଶ୍ୱର:(କାଞ୍ଚନ ଟିଭି) ରାଜ୍ୟରେ ସକ୍ରିୟ ମୌସୁମୀ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଶନିବାର ଦିନ ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଭଲ ବର୍ଷା ହୋଇଯାଇଛି। ଆସନ୍ତା ୩ ଦିନ ମଧ୍ୟ ରାଜ୍ୟରେ ମୌସୁମୀଜନିତ ବର୍ଷା ଜାରି ରହିବ। ମୌସୁମୀଜନିତ ନିମ୍ନ ଚାପରେଖା ଏବେ ଜୈସାଲମେରରୁ ବାହାରି ଦେସା, ରତ୍ଲମ୍, ବେତୁର, ଚନ୍ଦ୍ରପୁର, କୋଣ୍ଡାଗାଁଓ ହୋଇ ଗୋପାଳପୁରରୁ ଦକ୍ଷିଣପଶ୍ଚିମରୁ ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଗତି କରୁଛି। ଏହାର ପ୍ରଭାବରେ ଆସନ୍ତାକାଲି ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ବରଗଡ଼ ଓ ସମ୍ବଲପୁର ଅଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ, ଗତକାଲି ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଲଘୁଚାପ କ୍ଷେତ୍ର ଆଜି ଦୁର୍ବଳ ହୋଇଛି। କିନ୍ତୁ ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ଦକ୍ଷିଣପୂର୍ବ ବିଦର୍ଭ ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ରହିଛି। ଏହି ଘୂର୍ଣ୍ଣିବଳୟ ସହ ଦକ୍ଷିଣ ଛତିଶଗଡ଼ ଓ ସଂଲଗ୍ନ ଅଞ୍ଚଳ ଉପରେ ପୂର୍ବରୁ ରହିଥିବା ଘୂର୍ଣ୍ଣିବଳୟଟି ମିଶିଯାଇଛି। ଏହା ଆସନ୍ତା ୨୪ ତାରିଖ ଆଡ଼କୁ ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବ। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଉଛି।