ଆସୁଛି ଝଡ଼
ଭୁବନେଶ୍ୱର:( କାଞ୍ଚନଟିଭି ବ୍ୟୁରୋ): ତିନି ଦିନ ହେଲା ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହିତ କେତେକ ଅଞ୍ଚଳରେ ବର୍ଷା ହୋଇଥିଲା । ଶନିବାର ପାଗରେ ପରିବର୍ତ୍ତନ ଘଟିଛି ଓ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି । ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଆଉ ଏକ ପଶ୍ଚିମା ଝଡ଼ ସମ୍ଭାବନା ରହିଛି ଏବଂ ୧୫ ତାରିଖରୁ ଏହା ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ଆଇଏମ୍ଡି ପକ୍ଷରୁ ଶନିବାର କୁହାଯାଇଛି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାର କିଛି ଅଞ୍ଚଳରେ ଘଡଘଡି ବିଜୁଳି ସହ ସାମାନ୍ୟ ବର୍ଷା ହୋଇପାରେ । ୧୫ ଓ ୧୬ ତାରିଖରେ କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, ପୁରୀ, କଟକ, ନୟାଗଡ଼, ବାଲେଶ୍ୱର ରାୟଗଡ଼ା, କୋରାପୁଟ ମାଲକାନଗିରି ଜିଲ୍ଲାରେ ଘଡ଼ଘଡି ସହିତ ବର୍ଷା ଏବଂ ପୁରୀ, ଗଞ୍ଜାମ, କୋରାପୁଟ ଓ ଦେବଗଡ଼ ଜିଲ୍ଲାର ଅଳ୍ପ କେତେକ ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରିପଡ଼ାରେ ସର୍ବାଧିକ ୨୭.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।