ଓଡ଼ିଶାରେ ସାଇବର ଅପରାଧୀଙ୍କ ଉତ୍ପାତ
ଭୁବନେଶ୍ୱର:(କାଞ୍ଚନଟିଭି/ବ୍ୟୁରୋ) ରାଜ୍ୟରେ ସାଇବର କ୍ରାଇମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ୧୩ ହଜାର ୨୬୭ଟି ସାଇବର ଠକେଇ ମାମଲା ବିଭିନ୍ନ ଥାନାରେ ରୁଜୁ କରାଯାଇଥିବା ବେଳେ ଶହେ କୋଟିରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି । ସୋମବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ।
ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖି ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ରାଜ୍ୟରେ ୨୦୧୮ରେ ୮୬୭ ସାଇବର ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୮ କୋଟି ୯୭ ଲକ୍ଷ ୮୦ ହଜାର ୬୬୬ ଟଙ୍କା ଲୁଟ୍ ଅଭିଯୋଗ ହୋଇଥିଲା । ୨୦୧୯ରେ ୧୪୭୫ ମାମଲାରେ ୧୬ କୋଟି ୧୮ ଲକ୍ଷ ୯୫ ହଜାର ୭୧୦ ଟଙ୍କା, ୨୦୨୦ରେ ୧୯୩୧ ମାମଲାରେ ୩୫ କୋଟି ୭ ଲକ୍ଷ ୨୦ ହଜାର ୧୩୫ ଟଙ୍କା, ୨୦୨୧ରେ ୨୦୩୭ ମାମଲାରେ ୪୦ କୋଟି ୩୯ ଲକ୍ଷ ୭୦ ହଜାର ୫୧୪ ଟଙ୍କା ଏବଂ ୨୦୨୨ର ପ୍ରଥମ ଦୁଇମାସ ଭିତରେ ୨୫୭ ମାମଲାରେ ୩ କୋଟି ୯୧ ଲକ୍ଷ ୮୬ ହଜାର ୯୩୩ ଟଙ୍କା ଲୁଟ୍ ହୋଇଛି ।
ଅନ୍ୟପଟେ ସାଇବର ଅର୍ଥ ଲୁଟ୍ ମାମଲାରେ ପୁଲିସ ୨୦୧୮ରେ ୧୦ ଲକ୍ଷ ୭୪ ହଜାର ୧୨୭ ଟଙ୍କା, ୨୦୧୯ରେ ୬୮ ଲକ୍ଷ ୪୭ ହଜାର ୧୫୩ ଟଙ୍କା, ୨୦୨୦ରେ ୪୮ ଲକ୍ଷ ୨ ହଜାର ୬୨ ଟଙ୍କା, ୨୦୨୧ରେ ୬୬ ଲକ୍ଷ ୯୫ ହଜାର ୪୭୬ ଟଙ୍କା, ୨୦୨୨ରେ ଫେବୃଆରୀ ପର୍ଯ୍ୟନ୍ତ ୧୪ ଲକ୍ଷ ୯୭ ହଜାର ୧୨୧ ଟଙ୍କା ଉଦ୍ଧାର କରିବାରେ ସମର୍ଥ ହୋଇପାରିଛି ।
କ୍ରାଇମ୍ ଇନ୍ ଇଣ୍ଡିଆ ୨୦୨୧ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜାତୀୟ ଅନୁପାତ ଦୃଷ୍ଟିରୁ ଓଡ଼ିଶାରେ ଏହି ଅପରାଧ ହାର ବଢି ·ଲିଛି । ୨୦୨୧ରେ ଓଡ଼ିଶାରେ ସଂଗଠିତ ଅପରାଧର ୪.୪ ପ୍ରତିଶତ ସାଇବର ମାମଲା ହୋଇଥିବା ବେଳେ ଦେଶରେ ଘଟୁଥିବା ସାଇବର ମାମଲାର ୩.୯ ପ୍ରତିଶତ ଓଡ଼ିଶାରେ ସଂଗଠିତ ହେଉଛି ।
ସାଇବର ମାମଲା ରୋକିବାକୁ ରାଜ୍ୟରେ ୧୪ଟି ସାଇବର ଥାନା କାମ କରୁଛି । କମ୍ପୁ୍ୟଟର ଓ ଇଣ୍ଟରନେଟ୍ ବ୍ୟବହାରର ଦ୍ରୁତ ଅଭିବୃଦ୍ଧି, ସୋସିଆଲ ମିଡିଆରେ ଯୋଗାଯୋଗ ବ୍ୟବସ୍ଥାରେ ଅଗ୍ରଗତି ଓ ବାଣିଜ୍ୟ କାରବାର ବ୍ୟାପକତା ଯୋଗୁ ପ୍ରତ୍ୟେକ ଜିଲ୍ଲା ଏସ୍ପି ଅଫିସ ରେ ୨୦୧୩ ଏପ୍ରିଲ ପହିଲାରୁ ସାଇବର କ୍ରାଇମ୍ ସେଲ କାମ କରୁଛି । ପ୍ରତ୍ୟେକ ଜିଲ୍ଲାରେ ସାଇବର ଅପରାଧ ଓ ଅର୍ଥନୈତିକ ଅବରାଧ ଥାନା ଖୋଲିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ରାଜ୍ୟର ସମସ୍ତ ଥାନାକୁ ସାଇବର ମାମଲାର ତଦନ୍ତ ନିମନ୍ତେ ସ୍ୱତନ୍ତ୍ର କମ୍ପେଡିୟମ୍ ବିତରଣ କରାଯାଇଛି ।
୨୦୧୭ରୁ ସାଇବର ଅପରାଧ ଅନୁସନ୍ଧାନ ବିଜ୍ଞାନଗାର ଭୁବନେଶ୍ୱରର ରସୁଲଗଡ଼ ସ୍ଥିତି ରାଜ୍ୟ ଅପରାଧ ଅନୁସନ୍ଧାନ ବିଜ୍ଞାନଗାର ଠାରେ କାମ କରୁଛି । ଅନୁସନ୍ଧାନ ନିମନ୍ତେ ଆବଶ୍ୟକ ତାଲିମ ପୁଲିସ ଅଫିସ, ସରକାରୀ ଓକିଲ, ନ୍ୟାୟିକ ଅଧିକାରୀମାନଙ୍କୁ ଦିଆଯାଉଛି । ଏହାଛଡ଼ା ବିଭିନ୍ନ ସମୟରେ ବହୁ ପୁଲିସ ଅଫିସ୍ରଙ୍କୁ ସାଇବର ମାମଲାର ତଦନ୍ତ ନିମନ୍ତେ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ବୋଲି ମନ୍ତ୍ରୀ ଗୃହରେ ତଥ୍ୟ ରଖିଛନ୍ତି ।