ଓଡ଼ିଶା ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶା ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ/ଭୁବନେଶ୍ବର:(ବ୍ୟୁରୋ ରିପୋର୍ଟ୍) ରାଇରଙ୍ଗପୁରରୁ ରାଇସିନା ହିଲ୍‌ରେ ପହଞ୍ଚିବା ପରେ ଆଜି ପ୍ରଥମ ଥର ଓଡ଼ିଶା ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାଉନସିଲର, ବିଧାୟକ, ମନ୍ତ୍ରୀ ତଥା ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ଅଭିସିକ୍ତ ହେବା ପରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସେ ଧାଇଁ ଆସଥିଲେ। ଆଉ ଏଥର ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ କଳା ଠାକୁରଙ୍କ ଦର୍ଶନ କରିବାକୁ ଆସିଛନ୍ତି । ଏପରିକି ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ବଳଗଣ୍ଡି ଛକରୁ କାର୍‌ରୁ ଓହ୍ଲାଇ ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି।

୨ ଦିନିଆ ଓଡ଼ିଆ ଗସ୍ତରେ ଆସି ଆଜି ପୂର୍ବାହ୍ନ ୧୦ଟା୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସେଠାରୁ ସିଧାସଳଖ ହେଲିକପ୍ଟରରେ ପୁରୀ ଯାଇ ତାଳବଣିଆସ୍ଥିତ ହେଲିପ୍ୟାଡରେ ପୂର୍ବାହ୍ନ ୧୧ଟା୪୦ରେ ଅବତରଣ କରିଥିଲେ। ସେଠାରେ ତାଙ୍କୁ ଗାର୍ଡ ଅପ୍ ଅନର ପ୍ରଦାନ କରାଯାଇଥିଲା। ଏହାପରେ ସେଠାରୁ କଡ଼ା ସୁରକ୍ଷା ବଳୟରେ ସେ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ।
ଭୁବନେଶ୍ବରରେ ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ସ୍ବାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସେ ରାଜଧାନୀର ବିଭିନ୍ନ ଛକରେ ଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ମହାରାଜ ଶ୍ରୀରାମଚନ୍ଦ୍ର ଭଂଜଦେଓ, ସ୍ବଭାବ କବି ଗଂଗାଧର ମେହେର, ସହିଦ ଲକ୍ଷ୍ମଣ ନାୟକ, ଭଗବାନ ବିର୍ସା ମୁଣ୍ଡା ଓ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ପରେ ରାଷ୍ଟ୍ରପତି ରାଜଭବନରେ ଆ‌େୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ‌େଦେବେ। ଏହା ପରେ ସେ ରାଜଭବନରେ ରାତ୍ରୀଯାପନ କରିବେ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏକ ସ୍ବତନ୍ତ୍ର ବିମାନ ଯୋଗେ ସେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଥିଲେ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!