ଓଡ଼ିଶା ଫେରିବ ଡାକୋଟା
ଭୁବନେଶ୍ୱର:(କାଞ୍ଚନଟିଭି) ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନକୁ ଓଡ଼ିଶା ଫେରାଇ ଆଣିବା ଆଶା ଉଜ୍ୱଳିତ ହୋଇଛି । ଅନୁମତି ମିଳିଯାଇଛି । ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଦେଇଛି ସବୁଜ ସଙ୍କେତ । ଆବଶ୍ୟକ ଏନ୍ଓସି ମିଳିଯାଇଛି । ଡାକୋଟା ବିମାନକୁ କୋଲକାତା ବିମାନବନ୍ଦରରୁ ଫେରାଇ ଅଣାଯିବ । ଖାଲି ସେତିକି ନୁହେଁ, ଜାଗା ବି ମିଳିଯାଇଛି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଡୋମେଷ୍ଟିକ ଟର୍ମିନାଲ (ଟି-୧) ସାମ୍ନାରେ ରହିବ ବିଜୁବାବୁଙ୍କ ସ୍ମୃତି ବହନ କରୁଥିବା ଡାକୋଟା ବିମାନ । ଟର୍ମିନାଲ ସାମ୍ନାରେ ଯେଉଁଠି ପାର୍କିଂ ଲେନ ରହିଛି, ସେଇ ପାଖାପାଖି ଡାକୋଟା ରଖାଯିବ । ଏଥିପାଇଁ ୧.୧ ଏକର ଜାଗା ଦେବାକୁ ଏଏଆଇ ହଁ ଭରିଛି ।
ଡାକୋଟା ବିମାନ ସହ ଇଣ୍ଡୋନେସିଆରେ ବିଜୁବାବୁଙ୍କ ଦୁଃସାହସିକ ଉଡ଼ାଣ ଘଟଣା ଭଳି ସ୍ମୃତି ଜଡ଼ିତ ରହିଛି । ଏହି ବିମାନ ଦୀର୍ଘବର୍ଷରୁ କୋଲକାତା ବିମାନବନ୍ଦରରେ ପଡ଼ି ରହିଛି । ଏହାକୁ ଫେରାଇ ଆଣିବା ପାଇଁ ଗତ କିଛି ବର୍ଷ ପ୍ରୟାସ ଆରମ୍ଭ ହୋଇଛି । ଏବେ ଏଏଆଇରୁ ଅନୁମତିି ମିଳିବା ପରେ ପ୍ରକ୍ରିୟା ଆଗେଇବ ବୋଲି ରାଜ୍ୟ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ କୁହାଯାଇଛି । ଏ ନେଇ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବ । ତା’ପରେ କୋଲକାତାରୁ ବିମାନକୁ ଅଣାଯିବ ।
ମିଳିଥିବା ସୂଚନା ମୁତାବକ, ବିମାନ ପାର୍ଟସକୁ ଖୋଲି ଏହାକୁ ଭୁବନେଶ୍ୱର ଅଣାଯିବ । ଏଠାରେ ଏହାକୁ ବିଶେଷଜ୍ଞ ଟିମ୍ ଦ୍ୱାରା ପୁଣି ଫିଟିଙ୍ଗ କରାଯିବ । ଡାକୋଟାକୁ ବିମାନବନ୍ଦରର ନୂଆ ଗୋଲେଇ ଛକରେ ବିଜୁ ବାବୁଙ୍କ ବଡ଼ ପ୍ରତିମୂର୍ତ୍ତି ପାଖାପାଖି ରଖିବା ପାଇଁ ରାଜ୍ୟ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଏଏଆଇକୁ ଆବଶ୍ୟକ ଜମି ପ୍ରଦାନ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ଏହାକୁ ବିମାନବନ୍ଦରର ଟର୍ମିନାଲ ସାମ୍ନାରେ ରଖିବା ପାଇଁ ଏଏଆଇ ଅନୁମତି ଦେଇଛି । ଡାକୋଟାକୁ ରଖିବା, ଏହାର ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ରାଜ୍ୟ ସରକାର ବୁଝିବେ । ଏଏଆଇର ବୋର୍ଡ ବୈଠକରେ ଏ ସଂକ୍ରାନ୍ତୀୟ ନିଷ୍ପତ୍ତି ହୋଇଛି ।