କଟକରେ ୨ କଲେଜ ଛାତ୍ରଙ୍କୁ ଏସିଡ୍ ମାଡ଼
କଟକ(ବ୍ୟୁରୋରିପୋର୍ଟ୍): କଟକ ଚାନ୍ଦିନୀଚୌକ ଅଞ୍ଚଳରେ ଦୁଇ ଜଣ କଲେଜ ଛାତ୍ରଙ୍କୁ ଜଣେ ବ୍ୟକ୍ତି ଏସିଡ୍ ମାଡ଼ କରିଛି। ଏସିଡ୍ ମାଡ଼ରେ ସିଟି କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ସତ୍ୟବାନ ସାହୁ ଓ ରଘୁନାଥଜୀଉ କଲେଜର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ର ସୌମ୍ୟରଞ୍ଜନ ନାୟକ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଲାଲବାଗ ଥାନା ପୁଲିସ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସତ୍ୟବାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଚାନ୍ଦିନୀଚୌକ ଅଞ୍ଚଳର ୫୦ ବର୍ଷୀୟ ରଙ୍ଗ ମିସ୍ତ୍ରି ନବୀନ ବାଲୁବଜାର ଅଞ୍ଚଳର ୧୮ ବର୍ଷୀୟ ଯୁବକ ସତ୍ୟବାନ ସାହୁ ସହିତ ପୂର୍ବରୁ ପରିଚିତ। ସତ୍ୟବାନ କଲେଜରେ ପଢ଼ୁଥିବା ବେଳେ ପାର୍ଟ ଟାଇମ୍ ରଙ୍ଗ କାମ ପାଇଁ ନବୀନକୁ ନିଜର ଫୋନ୍ ନମ୍ବର ଦେଇଥିଲେ। ନବୀନ କାମ ଦେବା ବଦଳରେ ବିଭିନ୍ନ ସମୟରେ ଫୋନ୍ କରି ହଇରାଣ କରୁଥିଲା। ଶନିବାର ସକାଳେ ସତ୍ୟବାନଙ୍କ ମୋବାଇଲକୁ ନବୀନ ଫୋନ୍ କରିଥିଲା। ସତ୍ୟବାନଙ୍କ ଭଉଣୀ ଫୋନ୍ ଉଠାଇବାରୁ ନବୀନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ଏହି ଘଟଣାକୁ କେନ୍ଦ୍ର କରି ଦିନ ପ୍ରାୟ ୧୧ଟା ବେଳେ ସତ୍ୟବାନ ନବୀନର ଘରକୁ ଯାଇଥିଲେ। ସତ୍ୟବାନ ଅନ୍ୟ ଜଣେ ବନ୍ଧୁ ବାଲୁବଜାରର ସୌମ୍ୟରଞ୍ଜନ ନାୟକଙ୍କୁ ବି ସାଙ୍ଗରେ ନେଇଥିଲେ। ଚାନ୍ଦିନୀଚୌକ ନିକଟ ଭଗବତୀ ମନ୍ଦିର ସାମନାରେ ରହୁଥିବା ନବୀନ ଘରେ ପହଞ୍ଚି ତାକୁ ବାହାରକୁ ଆସିବାକୁ ଡାକିଥିଲେ। ନବୀନ ଘରୁ ବାହାରି ଆସିବା ପରେ ସତ୍ୟବାନଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ଧଳା ରଙ୍ଗର ପାଉଡ଼ରକୁ ପାଣିରେ ମିଶାଇ ନବୀନ ଉଭୟଙ୍କ ଉପରକୁ ଫିଙ୍ଗିଦେଇଥିଲା। ସତ୍ୟବାନଙ୍କ ମୁହଁ, ଜଂଘ ଓ ପିଠିରେ ଏସିଡ୍ ପଡ଼ିଥିବା ବେଳେ ସୌମ୍ୟଜିତଙ୍କ ପେଟ ଓ ଆଖିରେ ପଡ଼ିଥିଲା। ଉଭୟ ଜୀବନ ବିକଳରେ ସେ ଅଞ୍ଚଳରୁ ସାଇକେଲ୍ ଫିଙ୍ଗି ଦୌଡ଼ି ପଳାଇ ଆସିଥିଲେ।
ଏ ସମ୍ପର୍କରେ ପରିବାର ଲୋକେ ଲାଲବାଗ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଉଭୟ ବନ୍ଧୁଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ନବୀନକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ତେବେ ସେମାନଙ୍କ ଉପରକୁ ଯେଉଁ ପାଉଡ଼ର ଫିଙ୍ଗାଯାଇଛି ଏହାକୁ ସୁନା ସଫା କରିବାରେ ବ୍ୟବହାର କରାଯାଉଥିବା କୁହାଯାଉଛି। ଏହି ପାଉଡର ପାଣି ସଂସ୍ପର୍ଶରେ ଆସିବା ଫଳରେ ଏସିଡ୍ ଭଳି ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି କରୁଥିବା ଡାକ୍ତର ମତ ରଖୁଛନ୍ତି। ପୁଲିସ ଏହି ପାଉଡର ଜବତ କରିଥିବା ବେଳେ ଏହାକୁ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପରୀକ୍ଷା ପାଇଁ ପଠାଇବା ନେଇ ଯୋଜନା କରାଯାଉଥିବା ସୂଚନା ମିଳିଛି।
ଗଲା ବର୍ଷକ ଭିତରେ କଟକରେ ଏହା ଦ୍ବିତୀୟ ଘଟଣା ବୋଲି କୁହାଯାଉଛି। ପୂର୍ବରୁ ୮ ଲକ୍ଷ ଟଙ୍କା ଋଣ ଆଣିଥିବା ଘଟଣାକୁ କେନ୍ଦ୍ର କରି କଟକ ଜିଲ୍ଲା ତିଗିରିଆ ଥାନା ନୂଆପଡ଼ାରେ ଜଣେ ମହିଳାଙ୍କୁ ଏସିଡ୍ ମାଡ଼ କରାଯାଇଥିଲା। ଗଲା ଜୁଲାଇ ୧୩ ତାରିଖରେ ଏହି ଏସିଡ୍ ମାଡ଼ ହୋଇଥିଲା। ୩୬ ବର୍ଷୀୟା ରୀନାଙ୍କୁ ଚାରି ଜଣ ଦୁର୍ବୃତ୍ତ ଘରେ ପଶି ଏସିଡ୍ ମାଡ଼ କରିଥିଲେ।