କେରଳରେ ନିପା ଆତଙ୍କ
ନୂଆଦିଲ୍ଲୀ:(ବ୍ୟୁରୋ ରିପୋର୍ଟ) କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେଇଛନ୍ତି । କୋଝିକୋଡ଼ରେ ନିପା ଭାଇରସର ଷଷ୍ଠ ମାମଲା ମିଳିବା ପରେ ସ୍ଥାନୀୟ ସବୁ ସ୍କୁଲ-କଲେଜ, କୋଚିଂ ସେଣ୍ଟର୍, ବୈଷୟିକ ଶିକ୍ଷାନୁଷ୍ଠାନ ଆଦିକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । କୋଝିକୋଡ଼ରେ ୧୪ ତାରିଖରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।
ନିପା ଭାଇରସରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦୮୦କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୩୨୭ ଜଣ ସ୍ୱାସ୍ଥ୍ୟକର୍ମୀ ଥିବା ଜଣାଯାଇଛି । କୋଝିକୋଡ ଜିଲ୍ଲା ବାହାରେ ୨୯ ଜଣ ଲୋକ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । କଣ୍ଟାକ୍ଟ ଟ୍ରେସିଂରୁ ମଲପ୍ପୁରମ୍ର ୨୨, ୱାୟନାର୍ଡର ଜଣେ, କନ୍ନୂର ଜିଲ୍ଲାର ୩ ଜଣ ଓ ତ୍ରିଶୂର ଜିଲ୍ଲାର ୩ ଜଣଙ୍କୁ ଚିହ୍ନଟ କରାଯାଇଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
କୋଝିକୋଡ଼ରେ ନିପା ଭାଇରସରେ ଅଗଷ୍ଟ ୩୦ ତାରିଖ ଦିନ ପ୍ରଥମ ଓ ସେପ୍ଟେମ୍ବର ୧୧ ତାରିଖ ଦିନ ଦ୍ୱିତୀୟ ମୃତୁ୍ୟ ହୋଇଥିଲା । ଅଗଷ୍ଟ ୩୦ ତାରିଖର ମୃତକଙ୍କ ଅନ୍ତିମ ସଂସ୍କାରରେ ୧୭ ଜଣ ଯୋଗ ଦେଇଥିଲେ । ସେମାନଙ୍କୁ ଆଇସୋଲେସନ୍ରେ ରଖାଯାଇଛି । ଏବେ ମୋଟ୍ ୨୧ ଜଣ ଲୋକ ଆଇସୋଲେସନ୍ରେ ଅଛନ୍ତି । ପ୍ରଥମ ନିପା ମାମଲାର ଉତ୍ସ ଖୋଜା ଚାଲିଛି । ରାଜ୍ୟ ସରକାର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା ଲାଗି ୧୯ ଟିମ୍ ଗଢିଛନ୍ତି । କୋଝିକୋଡ଼ରେ ନିପା ଭାଇରସର ୪ ସକ୍ରିୟ ମାମଲା ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ବୟସ ୯ ବର୍ଷ । ସେହି ପିଲାର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ମହାମାରୀ କରୋନା ଭାଇରସ୍ ତୁଳନାରେ ନିପା ଭାଇରସ୍ର ମୃତ୍ୟୁହାର ବହୁ ଅଧିକ ବୋଲି ଆଇସିଏମ୍ଆର୍ ପକ୍ଷରୁ ସୂଚନା ଦିଆଯିବା ପରେ ବିଭିନ୍ନ ସ୍ଥାନରେ ଲୋକେ ନିଜ ଅଞ୍ଚଳକୁ ଘେରାବନ୍ଦୀ କରି କଣ୍ଟେନମେଣ୍ଟ୍ ଜୋନ୍ କରିବା ଦେଖିବାକୁ ମିଳୁଛି ।
୧୨ ତାରିଖରେ କେରଳରେ ଭାଇରସ୍ଜନିତ ଜ୍ୱରରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତୁ୍ୟ ହେବା ପରେ ସେମାନଙ୍କ ନମୁନା ଟେଷ୍ଟ୍ ପାଇଁ ପୁଣେ ପଠାଯାଇଥିଲା । ସେଠାରେ ତାହା ନିପା ଭାଇରସ ବୋଲି ଚିହ୍ନଟ ହୋଇଥିଲା । ୨୦୧୮ ପରେ ନିପା ଭାଇରସ୍ ଚତୁର୍ଥ ଥର ପାଇଁ କେରଳରେ ବ୍ୟାପିବାରେ ଲାଗିଛି । ନିପା ଭାଇରସ୍ର ଏହି ଷ୍ଟ୍ରେନ୍ ବାଙ୍ଗଲାଦେଶ ଭେରିଏଣ୍ଟ୍ ବୋଲି ଜଣାପଡ଼ିଛି । କେରଳରେ ବ୍ୟାପୁଥିବା ଏହି ମାରାତ୍ମକ ନିପା ଭାଇରସ୍ ଉପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍ କଡ଼ା ନଜର ରଖିଛନ୍ତି ।