ଚିନ୍ତା ବଢ଼ାଇଲା ଏଚ୍୩ଏନ୍୨ ଇନ୍ଫ୍ଲୁଏଞ୍ଜା ସଂକ୍ରମଣ
ଭୁବନେଶ୍ୱର:(କାଞ୍ଚନଟିଭି ବ୍ୟୁରୋ) କରୋନା ମହାମାରୀର ତାଣ୍ଡବ ମନରୁ ନ ଲିଭୁଣୁ ଏବେ ପୁଣି ଆଉ ଏକ ଭୂତାଣୁ ଭୟ ରାଜ୍ୟବାସୀଙ୍କୁ ଆତଙ୍କିତ କରିଛି । ଗତ କିଛିଦିନ ଧରି ଏଚ୍୩ଏନ୍୨ ଭୂତାଣୁ ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସର୍ବସାଧାରଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧିବା ସହ କରୋନା ସମୟର ୫ ସୂତ୍ରୀ ଗାଇଡ୍ଲାଇନ୍ ଅନୁସରଣ କରିବାକୁ ଆଡ୍ଭାଇଜରି ଜାରି କରାଯାଇଛି ।
ରାଜ୍ୟରେ ଏଚ୍୩ଏନ୍୨ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ଦେଇ ଆର୍ଏମ୍ଆର୍ସି ନିଦେ୍ର୍ଦଶିକା ସଂଘମିତ୍ରା ପତି କହିଛନ୍ତି, ଜାନୁଆରୀ ଓ ଫେବ୍ରୁଆରୀରେ ୨୨୫ଟି ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା । ସେଥିରୁ ୫୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
ସମଗ୍ର ଦେଶରେ ବର୍ତ୍ତମାନ ସୁଦ୍ଧା ୬ଜଣ ଏଚ୍୩ଏନ୍୨ ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭୂତାଣୁକୁ ନେଇ ସତର୍କ ରହିବାକୁ ସବୁ ରାଜ୍ୟକୁ ପରାମର୍ଶ ଦିଆଯାଇଛି । କେନ୍ଦ୍ରର ପରାମର୍ଶ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଏଚ୍୩ଏନ୍୨ ଭାଇରସ୍ରେ କୋଭିଡ୍-୧୯ ଭଳି ଲକ୍ଷଣ ଦେଖାଯାଇଥାଏ ଯାହାକି ସବୁ ବୟସ ବର୍ଗର ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ଏହି ଭୂତାଣୁ ଶୀଘ୍ର ବ୍ୟାପିପାରେ । ଏହାର ଲକ୍ଷଣ ହେଲା ଜ୍ୱର, କଫ, ବାନ୍ତି, ଗଳା ଯନ୍ତ୍ରଣା, ଶରୀର ପୀଡ଼ା, ଥକ୍କା ଲାଗିବା ଆଦି । ଏଥିସହିତ ଯଦି ଶ୍ୱାସକ୍ରିୟାରେ ସମସ୍ୟା ଆସିଥାଏ ଏବଂ କ୍ରମାଗତ ଭାବେ ଜ୍ୱର ହୋଇଥାଏ, ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ, ଖାଇବାରେ ଅସୁବିଧା ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ସାଧାରଣତଃ ଏହି ଭୂତାଣୁର ପ୍ରକୋପ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ଅଧିକ ରହିଥାଏ । ସେହିଭଳି ମନ୍ସୁନ୍ ସମୟରେ ମଧ୍ୟ ଏହାର ପ୍ରକୋପ ଦେଖିବାକୁ ମିଳେ । ତେବେ ଏଥିରେ ଆତଙ୍କିତ ନହୋଇ ସତର୍କ ଓ ସଚେତନ ରହିଲେ ସଂକ୍ରମଣକୁ ଏଡାଇ ଦିଆଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି ।