ଜଟଣୀ ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ଓ ମଧୁବାବୁ ଜୟନ୍ତୀ
ଜଟଣୀ :(କାଞ୍ଚନଟିଭି/ଆଶୁତୋଷ ରାୟ) ଖୋର୍ଦ୍ଦା ଜିଲ୍ଲା ଜଟଣୀ ଏନଏସିରେ ଥିବା ଜଟଣୀ ନ୍ୟାୟାଳୟ ପରିସରରେ ଜଟଣୀ ଓକିଲ ସଂଘ ପକ୍ଷରୁ ଶୁକ୍ରବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ ହୋଇ ଯାଇଛି। ସଂଘର ସଭାପତି କାହ୍ନୁଚରଣ ପ୍ରଧାନ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉପସଭାପତି ସୁଶୀଲ ମହାନ୍ତି ପରିଚାଳନା କରିଥିଲେ । ମଧୁବାବୁ କେବଳ ଜଣେ ସ୍ଵାଭିମାନୀ ଆଇନଜୀବୀ ନ ଥିଲେ,ବରଂ ସେ ଜଣେ ପ୍ରବୀଣ ରାଜନୀତି ବିଶାରଦ ମଧ୍ୟ ଥିଲେ। ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ମଧୁ ବାବୁଙ୍କ ପ୍ରଚେଷ୍ଟା ପ୍ରତି ଓଡ଼ିଆଙ୍କ ପାଇଁ ଅଭୁଲା ହୋଇ ରହିଛି।
ଓଡ଼ିଶାର ଆଇନ ଜଗତକୁ ତାଙ୍କର ଅନନ୍ୟ ଅବଦାନ ନିମନ୍ତେ ତାଙ୍କ ଜନ୍ମ ଦିନକୁ ଆଇନଜୀବୀ ଦିବସ ରୂପେ ପାଳନ କରାଯାଇ ଆସୁଛି। ଆଇନଜୀବୀ ସଂଘ ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଶିବୁ ରଥ, ଆଶୁତୋଷ ରାୟ ବରିଷ୍ଠ ଆଇନଜୀବୀ ତଥା ସାମ୍ୱାଦିକ, ଅରୁଣ ଦାସ, ଆଶିଷ କୁମାର ମହାପାତ୍ର, ପ୍ରଭୁରାମ ପାତ୍ର, ଚକ୍ରଧର ରଥ, ରିତେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ସୁଶୀଲ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।