ଜଟଣୀ ବାସୀଙ୍କ ଦୁଃଖ ଜଟଣୀ ଫ୍ଲାଏ ଓଭର
ଜଟଣୀ(କାଞ୍ଚନଟିଭି/ଆଶୁତୋଷ ରାୟ) : ଜଟଣୀ ସହରରେ ଉଡନ୍ତା ପୋଲ ନିର୍ମାଣର ମନ୍ଥର ଗତି ପ୍ରତିବାଦରେ ଜଟଣୀ ନାଗରିକ କମିଟି ପକ୍ଷରୁ ଗୁରୁବାର ପୂର୍ବାହ୍ନରୁ ସୀତାରାମ ଛକଠାରେ ଦୁଇ ଦିନିଆ ଅନଶନ ଆରମ୍ଭ ହୋଇଥିବାବେଳେ ଫ୍ଲାଏ ଓଭର ନିର୍ମାଣରେ ମନ୍ଥରତା ପାଇଁ ରାଜ୍ୟ ସରକାର ଦାୟୀ ବୋଲି ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟ ଅଭିଯୋଗ କରିଛନ୍ତି। ସେ କହିଲେ ଜଟଣୀ ଏକ ଗୁରୁତ୍ୱପୂର୍ଣ୍ଣ ସହର। ବିଶ୍ଵସ୍ତରୀୟ ଶିକ୍ଷାନୁଷ୍ଠାନ , ଶିଳ୍ପାଞ୍ଚଳ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଡିପୋ, କ୍ୟାନସର ହସ୍ପିଟାଲ, ଇନଫୋସିଟି -୨, ଓଡ଼ିଶାର ସର୍ବପୁରାତନ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ସଦର ଦପ୍ତର ଆଦି ରହିଛି।
ଜଟଣୀ ସହରକୁ ଗମନା ଗମନର ସୁବିଧା ପାଇଁ ୨୦୧୪ ରେ ଖୋର୍ଦ୍ଧା ଓ ପିପିଲି ଏବଂ ସୁନ୍ଦରପଦା ଓ ପୁରୁଣା ଭୁବେନେଶ୍ୱରକୁ ସଂଯୋଗ କରୁଥିବା ରାଜରାସ୍ତାରେ ଜଟଣୀ ସହର ସୀତାରାମ ଛକ ଠାରେ ଏକ ଫ୍ଲାଏ ଓଭର ନିର୍ମାଣ ଲାଗି ଶୁଭ ଦିଆ ଯାଇଥିଲା । ୨୦୧୬ ରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବ୍ୟୟ ଅଟକଳ ଥିଲା ୩୯କୋଟି। କିନ୍ତୁ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଥିଲା ଭଳି ଫ୍ଲାଏ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ସରୁନାହିଁ ୯ ବର୍ଷ ହେଲା ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ବିଭିନ୍ନ ସମୟରେ ରାଜ୍ୟ ସରକାର ଓ ଖୋର୍ଦ୍ଧାରୋଡ଼ ରେଳ ପ୍ରଶାସନ ଫ୍ଲାଏ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ରମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ଲକ୍ଷ୍ୟ ଧାର୍ଯ୍ୟ ତାରିଖ ଜଣାଇଥିଲେ। କିନ୍ତୁ ସବୁ ବିଫଳ ହୋଇଯାଇଛି।
କାମ ବନ୍ଦ ହୋଇ ପଡ଼ି ରହିଛି।ବଡ଼ ବଜାରରେ ଘରୋଇ ଜମି ଅଧିଗ୍ରହଣ ଏଯାବତ ହୋଇ ନାହିଁ। ଖୋର୍ଦ୍ଧା ରୋଡ ରେଳ ପ୍ରଶାସନ ତା ଜାଗାରେ ଫ୍ଲାଏ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିନାହିଁ। ହଜାର ହଜାର ଲୋକ ଏବଂ ରାଜ୍ୟ ବାହାରରୁ ଆସୁଥିବା ଲୋକ ହଇରାଣ ହରକତ ହେଉଛନ୍ତି। ଦୈନନ୍ଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ବେଳେ ସୀତାରାମ ଛକ ଅଣ୍ଡରଗ୍ରାଉଣ୍ଡ ରାସ୍ତାରେ ଅତି ବିପଦଜନକ ଭାବେ ଲୋକେ ଯା ଆସ କରୁଛନ୍ତି। ଜଟଣୀରେ ବିଧାୟକ ସୁରେଶ କୁଆର ରାଉତରାୟ କଂଗ୍ରେସ ଦଳର। ବିଜେଡି ସରକାର ଜାଣି ଶୁଣି ଫ୍ଲାଏ ଓଭରବ୍ରିଜ ନିର୍ମାଣ କାର୍ଯ୍ୟକୁ ବିଳମ୍ବିତ କରୁଥିବା ନାଗରିକ କମିଟି ଅନୁଭବ କରୁଛି। ଫ୍ଲାଏ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ନାଗରିକ କମିଟି ଆନ୍ଦୋଳନ ଚାଲୁ ରଖିବ ବୋଲି ସଭାପତି ଦୃଢୋକ୍ତି ପ୍ରକାଶ କରିଥିଲେ।
ଉକ୍ତ ଗଣଧାରଣ ଏବଂ ଅନଶନରେ ସ୍ଥାନୀୟ ବିଧାକଙ୍କ ସୁରେଶ କୁମାର ରାଉତରାୟ ପୂର୍ବତନ ପୌରାଧକ୍ଷ ସଂଗ୍ରାମ କେଶରୀ ରାଉତରାୟ ଓ ଡ଼ ଗୌରୀ ପ୍ରସାଦ ସିଂହ, ନଗର କଂଗ୍ରେସ ସଭାପତି ଅଶୋକ କୁମାର ମଙ୍ଗରାଜ, ପୁରୀ ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ନିରୁପମା ପାତ୍ର, ନାରୀ ନେତ୍ରୀ ବାସନ୍ତୀ ମୁର୍ମୁ, ସୀତା ରାଉତ, ସାବିତ୍ରୀ ରେଡ୍ଡୀ, ସୁନୀତା ଜାଲୀ , ପଦନ ପୁର ସରପଞ୍ଚ ଅହଲ୍ୟା ନାୟକ, କଂଗ୍ରେସ ନେତା ପୁପୁ ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ବିଧାୟକଙ୍କ ସଚିବ କଳିଙ୍ଗ ସାହୁ, ସୁଲୁ ରଥ, ସୌମ୍ୟ ଶ୍ରୀଚନ୍ଦନ, ପୂର୍ବତନ ସରପଞ୍ଚ ସୁନୀଲ ରାଉତରାୟ ଏବଂ ନାଗରିକ କମିଟି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବାବେଳେ ବହୁ ଅନୁଷ୍ଠାନ ଓ ରାଜନେତା ନାଗରିକ କମିଟିର ଦାବି ପ୍ରତି ସମର୍ଥନ ଜଣାଇଥିବା ପ୍ରକାଶ।