ଜନ ସଂଖ୍ୟା ଆଇନ ଅଭିଯାନ ଆରମ୍ଭ
ସମ୍ବଲପୁର:(ବ୍ୟୁରୋ ରିପୋର୍ଟ୍) ବର୍ଦ୍ଧିତ ଜନସଂଖ୍ୟାରେ ସନ୍ତୁଳନ ରକ୍ଷା ପାଇଁ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ନିତାନ୍ତ ଆବଶ୍ୟକ। ଏଣୁ ଜନସଂଖ୍ୟା ଫାଉଣ୍ଡେସନ ପକ୍ଷରୁ ଏଥି ପାଇଁ ସମଗ୍ର ଭାରତ ବର୍ଷରେ ଦସ୍ତଖତ ସଂଗ୍ରହ ଅଭିଯାନ ଗତ ୧୧ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଏହି ଦସ୍ତଖତ ଅଭିଯାନ ଆଗାମୀ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଜାରି ରହିବ। ଏହି କ୍ରମରେ ସମ୍ବଲପୁର ଜିଲା ଶାଖା ପକ୍ଷରୁ ସଭାପତି ମିଲନ ମହାରଣା ଙ୍କ ନେତୃତ୍ୱରେ ମହାନଗର ନିଗମ ଅର୍ନ୍ତଗତ ତକବା ଗ୍ରାମ ଠାରେ ଏହି ଦସ୍ତଖତ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନ ସମୟରେ ସାରା ଭାରତରୁ ଫାଉଣ୍ଡେସନ ପକ୍ଷରୁ ୫୦ ଲକ୍ଷ ଦସ୍ତଖତ ବିଶିଷ୍ଟ ଦାବିପତ୍ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ ପାଇଁ ଦାବୀ କରାଯିବ। ଓଡ଼ିଶାରୁ ୫ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇ ପ୍ରଦାନ କରାଯିବ। ସମ୍ବଲପୁର ଜିଲାରେ ଏହି ଅଭଯାନରେ ସଂଯୋଜକ ଦାୟିତ୍ୱରେ ତ୍ରୁପ୍ତିମୟୀ ପଣ୍ଡା, ଦଶରଥ ବନଛୋର ଓ ଭିକୁ ନାୟକ ରହିଛନ୍ତି ବୋଲି ସଭାପତି ମିଲନ ମହାରଣା ସୂଚନା ଦେଇଛନ୍ତି।