ଜିମ୍ରେ ଦୁଷ୍କର୍ମ
ଜିମରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ:-
କଟକ:(କାଞ୍ଚନଟିଭି ବ୍ୟୁରୋ) କଟକ ସିଡିଏ ସେକ୍ଟର-୯ରେ ଥିବା ଏକ ଜିମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏ ନେଇ ଖୋଦ୍ ପୀଡିତା ମର୍କତନଗର ଥାନାରେ ଅଭିଯୋଗ କରିଛନ୍ତି । ମାମଲା ରୁଜୁ ହେବା ନେଇ ସୂଚନା ଦେଇଛନ୍ତି କଟକ ଜୋନ୍-୩ ଏସିପି ତାପସ ପ୍ରଧାନ । କହିଛନ୍ତି, ଆସନ୍ତାକାଲି ୧୬୪ ଧାରାରେ ଅଭିଯୋଗକାରୀଙ୍କ ମାଜିଷ୍ଟେରିଆଲ୍ ବୟାନ ରେକର୍ଡ କରାଯିବ । ଏହାସହ ତାଙ୍କର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯିବ ।
୩୭୬ ୨-ଏନ୍, ୪୧୭, ୫୦୬ ଆଇପିସି ଦଫାରେ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ଏସିପି । ଅଭିଯୋଗ ଅନୁସାରେ, ସଂପୃକ୍ତ ଯୁବତୀ କଟକର ସିଡିଏ ସେକ୍ଟର-୯ରେ ଥିବା ଜିମରେ ଗତବର୍ଷ ଜାନୁଆରୀରେ ଆଡମିସନ ନେଇଥିଲେ । ଏହାପରେ ସେଠାକାର ଜିମ ମାଲିକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ଗତବର୍ଷ ମାର୍ଚ୍ଚ ମାସରେ ମୃଦୁ ପାନୀୟରେ କିଛି ନିଶା ଦେଇ ଜିମ ମାଲିକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଯୁବତୀ । ଏପରିକି ଚେତା ପଶିବା ପରେ ସଂପୃକ୍ତ ମାଲିକ ସବୁ ମାନିଥିବା ଓ କାହାକୁ କିଛି ନକହିବାକୁ ଅନୁରୋଧ କରିଥିଲେ ।
ଦୁଷ୍କର୍ମ ସମୟରେ ଅନ୍ତରଙ୍ଗ ମୁହୁର୍ତ୍ତର କିଛି ଫଟୋ ଉଠାଇଥିଲେ ଓ ତାକୁ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତା । ଏପରିକି ଗତବର୍ଷ ଜୁନରେ ଉଭୟ ବୁଲିବାକୁ କାଶ୍ମୀର ବି ଯାଇଥିଲେ । ସମ୍ପର୍କ ରଖି ଜିମ ମାଲିକ ତାଙ୍କଠାରୁ ଟଙ୍କା ନେଇଥିବା ବି ଅଭିଯୋଗ ଆଣିଛନ୍ତି ଯୁବତୀ । ବିବାହର ପ୍ରତିଶ୍ରୁତି ଦେଇ ସେ ବାରମ୍ବାର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା । ଏପରିକି ତାଙ୍କ ପରିବାର ଲୋକଙ୍କୁ ବି ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି । ପୁଲିସର ଘଟଣାର ଛାନଭିନ ଆରମ୍ଭ କରି ଦେଇଛି ।