ଜୟପୁର ବିମାନବନ୍ଦରରୁ ଆରମ୍ଭ ହେବାକୁ ଯାଉଛି ବ୍ୟବସାୟିକ ଉଡାଣ
ଜୟପୁର:(ବ୍ୟୁରୋ ରିପୋର୍ଟ୍) ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ସୋମବାରଠାରୁ ଜୟପୁର ବିମାନବନ୍ଦରରୁ ଆରମ୍ଭ ହେବାକୁ ଯାଉଛି ବ୍ୟବସାୟିକ ଉଡାଣ। ଭୁବନେଶ୍ୱରରୁ ଜୟପୁରକୁ ନିୟମିତ ଆରମ୍ଭ ହେବ ବିମାନସେବା। ଏନେଇ ଇଣ୍ଡିଆ ୱାନ୍ ଏୟାର୍ ସଂସ୍ଥା ତରଫରୁ ସୂଚନା ଦିଆଯିବା ସହ ଅନ୍ଲାଇନ୍ ଟିକଟ ବୁକିଂ ଆରମ୍ଭ ହୋଇଛି। ମାତ୍ର ଘଣ୍ଟାଏ ମଧ୍ୟରେ ଆସନ୍ତା ମାସ ୯ ତାରିଖ ଯାଏ ସବୁ ଟିକ ବୁକିଂ ହୋଇଯାଇଛି। କମ୍ପାନୀ ତରଫରୁ ଇନାଗୁରାଲ୍ ଅଫର୍ ଭାବେ ମାତ୍ର ୯୯୯ ଟଙ୍କାରେ ଟିକଟ ଯୋଗାଇ ଦିଆଯାଉଛି। ତେବେ ଆସନ୍ତା ୯ ତାରିଖ ଯାଏ ଟିକଟ ବୁକିଂ ହୋଇଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନେକ ଯାତ୍ରୀ। ୧୦ ବର୍ଷ ପରେ ଜୟପୁରବାସୀଙ୍କ ସ୍ବପ୍ନ ସାକାର ହୋଇଥିବାରୁ ଅନେକ ଏହି ଉଡାଣର ମଜା ନେବାକୁ ଚାହୁଁଛନ୍ତି। ହେଲେ କେବଳ ଘଣ୍ଟାକ ଭିତରେ ଆସନ୍ତା ୯ ପର୍ଯ୍ୟନ୍ତ ବୁକିଂ ସରିଥିବାରୁ ଏହି ଅଫର୍ ଆଉ କିଛି ଦିନ ପାଇଁ ଦେବା ସହ ୧୦ ତାରିଖ ଠାରୁ ମଧ୍ୟ ଅନ୍ ଲାଇନ ଟିକଟ୍ ବୁକିଂ ସ୍ଲଟ ଆରମ୍ଭ କରୁ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକ।
ଆସନ୍ତା ୩୧ ତାରିଖ ଠାରୁ ଜୟପୁର-ଭୁବନେଶ୍ବର ଏବଂ ଜୟପୁର-ବିଶାଖାପାଟଣା ମଧ୍ୟରେ ଉଡ଼ିବ ଯାତ୍ରୀବାହୀ ବିମାନ ।ଏଥିପାଇଁ ଇଣ୍ଡିଆ ୱାନ୍ ଏୟାର୍ ତରଫରୁ ଅନ୍ଲାଇନ୍ରେ ଟିକଟ ଉପଲବ୍ଧ କରାଯାଇଥିଲା। ଗତକାଲି ରାତିଠାରୁ ଟିକଟ ବୁକିଂ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୯ତାରିଖ ପର୍ଯ୍ୟନ୍ତ ୩୬୦ ଟି ଟିକଟ ବୁକିଂ ହୋଇଛି।ଏବେ ଟିକଟ ବୁକିଂ ସ୍ଲଟ୍ ବନ୍ଦ ହୋଇଛି। ଅନେକ ଯାତ୍ରୀ ୧୦ ତାରିଖ ପାଇଁ ଟିକଟ ବୁକିଂ ପାଇଁ ଆସିଥିଲେ ବି ଟିକେଟ ନ ପାଇ ନିରାଶ ହୋଇ ଫେରିଛନ୍ତି। ଅନ୍ତତଃ ୬ମାସ ପର୍ଯ୍ୟନ୍ତ ଟିକଟ ବୁକିଂ ସ୍ଲଟ୍ ଖୋଲିବା ପାଇଁ ଦାବି କରିଛନ୍ତି ଯାତ୍ରୀ। ଅନ୍ତତଃ ଛଅ ମାସ ଯାଏ ସ୍ଲଟ୍ ବୁକିଂ ପାଇଁ ବ୍ୟବସ୍ଥା କଲେ ଯାତ୍ରୀ ଓ ସ୍ଥାନୀୟ ଲୋକମାନେ ଉପକୃତ ହୋଇପାରିବେ ବୋଲି ସମାଜସେବୀ ରବି ନାୟକ କହିଛନ୍ତି। ମାତ୍ର ୧୦ ଦିନ ପାଇଁ ଟିକଟ ବୁକିଂ ହେଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଇଛୁକ ଯାତ୍ରୀ କାର୍ତ୍ତିକ ରାଉତ। ସେପଟେ ଆଦିବାସୀ କଲ୍ୟାଣ ବିଭାଗ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଜୟପୁର ବିମାନ ବନ୍ଦରରେ ପହଞ୍ଚି ବିମାନ ବନ୍ଦରର ସମୀକ୍ଷା କରିଛନ୍ତି। ଉପସ୍ଥିତ ଅଧିକାରୀଙ୍କୁ ନେଇ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଆଗକୁ ଏହି ବନ୍ଦରକୁ କିଭଳି ଭାବେ ୭୨ ସିଟ୍ ବିଶିଷ୍ଟ ବିମାନ ଆସିବ ସେ ନେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସାରକା।
ଅନ୍ୟପଟେ ପ୍ରଥମେ ଏଚ୍ଏଲ୍ ପାଇଁ ଆରମ୍ଭ ହୋଇଥିବା ଜୟପୁର ବିମାନବନ୍ଦରରେ ଏବେ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେବାକୁ ଯାଉଛି।ଏହା ଦ୍ୱାରା ଅଭିଭକ୍ତ କୋରାପୁଟ ଜିଲାର ଶିକ୍ଷା,ସ୍ୱାସ୍ଥ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସାରକା ମତ ଦେଇଛନ୍ତି। ୧୦ଦିନ ପାଇଁ ଟିକଟ ବୁକିଂ ଶେଷ ହେବାରୁ ଅନେକ ଯାତ୍ରୀ ନିରାଶ ହୋଇ ଫେରିଥିବାବେଳେ ୭୨ ଯାତ୍ରୀ ବିଶିଷ୍ଟ ବିମାନ ଉଡ଼ିଲେ ଅଭିଭକ୍ତ କୋରାପୁଟ ଜିଲାବାସୀ ଏହାର ସୁଫଳ ପାଇପାରିବେ ଦାବି ହେଉଛି।