ଟଙ୍କା ଦୁଃଖ ଯାଉନି: ଡଲାର ତୁଳନାରେ ଦାମ୍ ୮୧.୬୨ ଟଙ୍କା ବାଣିଜ୍ୟ
ନୂଆଦିଲ୍ଲୀ,(କାଞ୍ଚନଟିଭି ବୁରୋ ରିପୋର୍ଟ): ଶକ୍ତିଶାଳୀ ଡଲାର ତୁଳନାରେ ଭାରତୀୟ ଟଙ୍କାର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ଏହି ଦୁଃଖର ଅନ୍ତ ହେଉନି। ଆଜି ଟଙ୍କା ଏହାର ସର୍ବନିମ୍ନ ସ୍ତର ୮୧ ଟଙ୍କା ୬୨ ପଇସା ସ୍ତରକୁ ଖସିଯାଇଛି। ବିଶ୍ବ ସ୍ତରରେ ଘଟୁଥିବା ଘଟଣାଗୁଡ଼ିକୁ ନେଇ ଭବିଷ୍ୟତ ଦୃଶ୍ୟପଟ୍ଟ ବେଶ ଅନିଶ୍ଚିତ ଥିବାରୁ ଆଗାମୀ ଦିନରେ ଟଙ୍କା ଆହୁରି ଦୁର୍ବଳ ହୋଇ ୮୨ ଟଙ୍କା ୫୦ ପଇସା ସ୍ତରକୁ ଖସିଯିବ ବୋଲି ଆଶଙ୍କା କରାଯାଉଛି। କେବଳ ଟଙ୍କା ନୁହେଁ ବ୍ରିଟେନ୍ର ପାଉଣ୍ଡ୍ ଷ୍ଟର୍ଲିଂ, ୟୁରୋପର ୟୁରୋ, ଜାପାନର ୟେନ୍, ଅଷ୍ଟ୍ରେଲୀୟ ଡଲାର, କାନାଡା ଡଲାର, ଚୀନ୍ର ୟୁଆନ୍ ମଧ୍ୟ ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ହୋଇଛି। ଭାରତ ବହୁ ସାମଗ୍ରୀ ବିଶେଷ କରି ଅଶୋଧିତ ତୈଳ, ସାର, ଔଷଧ, ଗାଡ଼ି ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣରେ ଲାଗୁଥିବା ସରଞ୍ଜାମ ଆଦିକୁ ବିପୁଳ ପରିମାଣରେ ଆମଦାନି କରୁଛି।
ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଲେ ଆମଦାନି ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼େ। ଲୋକମାନେ ସେହି ସାମଗ୍ରୀ କିଣିବା ଲାଗି ପକେଟରୁ ଅଧିକ ଟଙ୍କା ଗଣିଥାନ୍ତି। ବିଦେଶକୁ ବୁଲିବା କିମ୍ବା ବ୍ୟବସାୟିକ କାର୍ଯ୍ୟରେ ଯୋଗଦେବାକୁ ବାହାରୁଥିବା ଲୋକମାନଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ବିଦେଶରେ ଛୁଟି କଟାଇବା ଅତ୍ୟନ୍ତ ମହଙ୍ଗା ହୋଇଯାଏ। ଯେଉଁ ପିତାମାତା ନିଜ ପିଲାମାନଙ୍କୁ ବିଦେଶରେ ରଖି ପାଠପଢ଼ାଉଛନ୍ତି ସେମାନେ ତାଙ୍କ ପାଖକୁ ପୂର୍ବାପେକ୍ଷା ଅଧିକ ଟଙ୍କା ପଠାଇଥାନ୍ତି।