ଡାକଘର ମାଧ୍ୟମରେ ମିଳିବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏମିତି କିଛି ସୁବିଧା
ଭୁବନେଶ୍ୱର:(କାଞ୍ଚନଟିଭି ବ୍ୟୁରୋ ରିପୋର୍ଟ୍) ଡାକଘର ମାଧ୍ୟମରେ ମିଳିବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସାମଗ୍ରୀ । ଡାକ ବିଭାଗ ନା କେବଳ ସାମଗ୍ରୀ ପରିବହନ କରିବ ବରଂ ସେମାନଙ୍କ ଉତ୍ପାଦର ବ୍ୟବସାୟୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବୟ ଗ୍ରାମାଞ୍ଚଳର ମହିଳାମାନଙ୍କୁ ବିତ୍ତୀୟ କାର୍ଯ୍ୟକ୍ରମରେ ସମ୍ପୃକ୍ତି ପାଇଁ ଡାକ ବିଭାଗ ଜାରି ରଖିଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଏସ୍ଏଚ୍ ଜି ଉତ୍ପାଦର ବିପଣନ ଓ ବ୍ୟବସାୟୀକରଣ କରାଯିବ ବୋଲି ଡାକ ସେବା ନିର୍ଦ୍ଦେଶକ (ମୁଖ୍ୟାଳୟ) ସୁବାସ ଚନ୍ଦ୍ର ବାରିକ ସୂଚନା ଦେଇଛନ୍ତି ।
ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏବେ ଦେଶବିଦେଶରେ ବେଶ୍ ଆଦୃତ ହୋଇପାରୁଛି । ଗ୍ରାମାଞ୍ଚଳ ତଥା ସହରାଞ୍ଚଳରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଡାକଘର ମାଧ୍ୟମରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ଓଡ଼ିଶା ଡାକ ବିଭାଗ ସହାୟତା ଯୋଗାଇବ । ସହଜ ଓ ସରଳ ଉପାୟରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ସୁଲଭ ମୂଲ୍ୟରେ ବିକ୍ରି କରିପାରିବେ । ଫଳରେ ମା’ମାନେ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି । ମିଶନ ଶକ୍ତି ମା’ମାନଙ୍କର ଦ୍ରବ୍ୟ ବିକ୍ରୟ ହେବା ସହ ମା’ମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ଦିଗରେ ସହଯୋଗ କରିବ । ଦେଶର କିଛି ରାଜ୍ୟରେ ଡାକ ବିଭାଗର ଏହି ଉଦ୍ୟମ ହେତୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବେଶ୍ ଉପକୃତ ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଆରମ୍ଭ ହେବ ।
ସମ୍ପ୍ରତି ସମ୍ବଲପୁରରେ ଥିବା ଏକ ଡାକ ଘରେ କେବଳ ସମ୍ବଲପୁରୀ ବାନ୍ଧ ଏବଂ ଅନ୍ୟ ପାରମ୍ପାରିକ ବୟନ ଉତ୍ପାଦର ବିପଣନ କରାଯାଉଛି । ଏହି ଡାକ ଘରେ ପାର୍ସଲ ପାଇଁ ବହୁ ଅର୍ଡର ମିଳୁଛି । ତେଣୁ ଏହାକୁ ଏକ ଉଦାହରଣ ଭାବେ ଗ୍ରହଣ କରି ରାଜ୍ୟର ବିଭିନ୍ନ ଡାକ ଘରେ ଏସ୍ଏଚଜିଙ୍କ ପାଇଁ ବ୍ୟବସ୍ଥା କରାଯିବ । ଗୁରୁତ୍ୱପୂର୍ଣ୍ଣ ହେଉଛି ଡାକ ବିଭାଗରେ ଏସ୍ଏଚ୍ ଜି ନିଜ ଉତ୍ପାଦ ଅତ୍ୟନ୍ତ ସୁଲଭ ମୂଲ୍ୟରେ ଗ୍ରାହକଙ୍କ ନିକଟକୁ ପଠାଇପାରିବେ । ଫଳରେ ସେମାନେ ସ୍ୱଳ୍ପ ଖର୍ଚ୍ଚ ଦେବେ ।
ମିଶନ ଶକ୍ତି ବିଭାଗ ପକ୍ଷରୁ ମିଶନ ଶକ୍ତି ବଜାର ପୋର୍ଟାଲରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଉପଲବ୍ଧ ଥିବାବେଳେ ଗୋଟିଏ ଉତ୍ପାଦକ ମହିଳା ଗୋଷ୍ଠୀଙ୍କ ସାମଗ୍ରୀ ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି । ମହିଳା କାରିଗରୀକୁ ପ୍ରାଧାନ୍ୟ ଦେବା ସହ ସେମାନଙ୍କ ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀକୁ ଗୋଟିଏ ସ୍ଥାନରୁ ଦୂରସ୍ଥାନକୁ ପଠାଇବା ପାଇଁ ସମର୍ଥ ହୋଇପାରିବେ । ପାରମ୍ପରିକ କ୍ରାଫ୍ଟରେ ଡୋକ୍ରା କାମ, ଟେରାକୋଟା, ପଟ୍ଟଚିତ୍ର ଆଦି ଭଳି ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରାଯିବ । ଯାହା ମାଧ୍ୟମରେ ରାଜ୍ୟ ତଥା ଦେଶବିଦେଶର ଲୋକେ ସିଧାସଳଖ ମା’ମାନଙ୍କ ପ୍ରସ୍ତୁତ ସାମଗ୍ରୀ କିଣିପାରିବେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାରିଗରମାନଙ୍କ ପ୍ରସ୍ତୁତ ପଟ୍ଟଚିତ୍ର, କଟକର ରୂପା ତାରକସି କାମ ସହ ଅଳଙ୍କାର, ଡୋକ୍ରା କାମ, ହସ୍ତତନ୍ତ ସାମଗ୍ରୀ ଆଦି ବିକ୍ରି କରାଯିବ । ବର୍ତ୍ତମାନ କେବଳ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଉପଲବ୍ଧ ଥିବାବେଳେ ଆଗକୁ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଗ୍ରୋସରୀ ମଧ୍ୟ ସମସ୍ତେ ଡାକ ମାଧ୍ୟମରେ କିଣିବାର ସୁଯୋଗ ପାଇବେ । ବିଶେଷକରି ଏସ୍ଏଚ ଜି ଙ୍କ ଦ୍ୱାରା ପ୍ରସ୍ତୁତ ହଜାର ହଜାର ପ୍ରାମାଣିକ ଓ ଜୈବିକ ହସ୍ତକଳା ସାମଗ୍ରୀକୁ ଅନଲାଇନ୍ ମାଧ୍ୟମରେ ବିକ୍ରିର ପ୍ଲାର୍ଟଫର୍ମ ଯୋଗାଇଦେବ ଡାକ ବିଭାଗ । ଗ୍ରାମୀଣ ଅର୍ଥନୀତି ବିକାଶକୁ ଡାକ ବିଭାଗ ପକ୍ଷରୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ବାହାର ରାଜ୍ୟମାନଙ୍କ ଭଳି ଏବେ ଓଡ଼ିଶାରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ଯୋଜନା କରାଯାଉଛି ।
ଏହାସହିତ ଏସ୍ଏଚ୍ଜିଙ୍କ ସାମଗ୍ରୀର ମାର୍କେଟିଂ କରିବା ପାଇଁ ବ୍ୟବସ୍ଥା କରାଯିବ । ସେହିପରି ମହିଳାମାନଙ୍କୁ ଡିଜିଟାଲ ଶିକ୍ଷା ଦେବା ପାଇଁ ଓଡ଼ିଶା ଡାକ ବିଭାଗ ପକ୍ଷରୁ ଅପହଞ୍ଚ ଇଲାକାମାନଙ୍କରେ ବିଭିନ୍ନ ଶିବିରର ଆୟୋଜନ କରାଯାଉଛି ।