ଦଣ୍ଡ ଅପେକ୍ଷାରେ ଆସାମୀ ଭୁବନା
ଭୁବନେଶ୍ବର:(କାଞ୍ଚନଟିଭି) ବହୁଚର୍ଚ୍ଚିତ ଭରତପୁର ଲେନ୍-୪ସ୍ଥିତ ଆଖଣ୍ଡଳମଣି ବସ୍ତିରେ ଘଟିଥିବା ଟ୍ରିପଲ୍ ମର୍ଡର୍ ଘଟଣାର ଅଭିଯୁକ୍ତ ଶିବ ପ୍ରସାଦ ପଣ୍ଡା ଓରଫ୍ ଭୁବନା ଦୋଷୀ ସାବ୍ୟସ୍ତ ହୋଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩(ଏଡିଜେ) ବିଚାରପତି ସସ୍ମିତା ପାଢ଼ୀ ଏହି ମାମଲାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି। ମାତ୍ର ହତ୍ୟାକାରୀ ଭୁବନାର ଦଣ୍ଡାଦେଶକୁ ନେଇ କୌଣସି ରାୟ ପ୍ରକାଶ ପାଇନାହିଁ। ଆସନ୍ତା ସୋମବାର ଦଣ୍ଡାଦେଶ ଶୁଣାଯିବ ବୋଲି ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର୍ ପ୍ରଦୀପ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୭ ଜାନୁଆରି ୨୦୧୫ରେ ଏହି ଲୋମଟାଙ୍କୁରା ଟ୍ରିପଲ୍ ମର୍ଡର୍ ଘଟିଥିଲା। ଭୁବନା ତା’ ଆଈ ଶାନ୍ତିଲତା ପତି, ପଡ଼ୋଶୀ ଚକ୍ରଧର ସାହୁ ଓ ପତ୍ନୀ ସୁକାନ୍ତିଙ୍କୁ ପିଟି ପିଟି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା। ଚକ୍ରଧରଙ୍କ ଜମି ହାତେଇବାରେ ବିଫଳ ହେବାରୁ ଭୁବନା ଏହି ହତ୍ୟାକାଣ୍ଡ ଭିଆଇଥିଲା। ପୁଲିସ ତଦନ୍ତ ଅନୁସାରେ, ଶାନ୍ତିଲତା ଭରତପୁରର ଲେନ୍-୪ରେ ରହୁଥିବାରୁ ଭୁବନା ଅନେକ ସମୟରେ ତାଙ୍କ ପାଖକୁ ବୁଲିବାକୁ ଆସେ। ସେଠାରେ ପଡ଼ୋଶୀ ଚକ୍ରଧରଙ୍କ ନାତୁଣୀ ସହ ଭୁବନାର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ ଉଭୟ ବିବାହ କରିଥିଲେ। ଏହାପରେ ସେ କଳିଙ୍ଗନଗରରେ ଥିବା ଚକ୍ରଧରଙ୍କ ପ୍ଲଟ୍କୁ ହାତେଇବା ପାଇଁ ଯୋଜନା କରିଥିଲା। ମାତ୍ର ଚକ୍ରଧର ଫସିନଥିଲେ। ତେଣୁ ତାଙ୍କୁ ହତ୍ୟା କରିବା ପାଇଁ ସେ ଷଡ଼୍ଯନ୍ତ୍ର ରଚିଥିଲା।