ନଭେମ୍ବରରେ ଜି-୨ଠ ସମ୍ମିଳନୀ ରେ ସାମ୍ନା ସାମ୍ନି ହେବେ ପୁତିନ – ଜେଲେସ୍କି
ନୂଆଦିଲ୍ଲୀ (ବ୍ୟୁରୋ ରିପୋର୍ଟ୍): ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭି. ଜେଲେନ୍ସ୍କି ଆସନ୍ତା ମାସ ଅର୍ଥାତ୍ ନଭେମ୍ବରରେ ଇଣ୍ଡୋନେସିଆର ବାଲି ଠାରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ ( ନଭେମ୍ବର ୧୫ ଏବଂ ୧୬) ଜି-୨ଠ ଶିଖର ସମ୍ମିଳନୀ ଅବସରରେ ଆମ୍ନା ସାମ୍ନା ହୋଇପାରନ୍ତି । ଗତ ଫେବ୍ରୁଆରୀ ମାସରୁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ରକ୍ତାକ୍ତ ସଂଘର୍ଷ ଆଜି ପର୍ଯ୍ୟନ୍ତ (ଦୀର୍ଘ ୮ ମାସ) ଜାରି ରହିଥିବା ବେଳେ ପ୍ରଥମ ଥର ପାଇଁ ଉଭୟ ଦେଶର ନେତାଙ୍କ ଉପସ୍ଥିତିକୁ ନେଇ ଏବେ ବିଶ୍ୱସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷେ ଜି-୨ଠ ଶିଖର ସମ୍ମିଳନୀ ରୂପୀ ବିଶ୍ୱମଞ୍ଚରେ ଉଭୟ ନେତା ସାମିଲ ହେବାକୁ ଯାଉଥିବା ବେଳେ ଏହି ସମ୍ମିଳନୀ ଉପରେ ମଧ୍ୟ ଏବେ ସଭିଙ୍କ ନଜର ନିବଦ୍ଧ ହେବା ସ୍ୱାଭାବିକ୍ ।
ୟୁଏଇ ସରକାରଙ୍କ ସରକାରୀ ୱେବ୍ସାଇଟ୍ ଦ ନ୍ୟାସନାଲ’ ପକ୍ଷରୁ ଶୁକ୍ରବାର ଏସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ୟୁଏଇରେ ଅବସ୍ଥାପିତ ଥିବା ଇଣ୍ଡୋନେସିଆ ରାଷ୍ଟ୍ରଦୂତ ହୁସୈନ୍ ବାଗିସ୍ଙ୍କ କେତେକ ବକ୍ତବ୍ୟକୁ ସ୍ଥାନିତ କରାଯାଇଛି । ପଚରାଯାଇଥିବା କେତେକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବାଗିସ୍ ସୂଚନା ଦେଇ କହିଛନ୍ତି ଯେ, ପୁତିନ୍ ଏବଂ ଜେଲେନ୍ସ୍କି ବାଲି ଠାରେ ଆୟୋଜିତ ହେବାକୁ ଥିବା ଜି-୨ଠ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏପରିକି ଏହି ଦୁଇ ନେତାଙ୍କ ଆଗମନ ଠାରୁ ଆରମ୍ଭ କରି ଗସ୍ତ ଶେଷ ପର୍ଯ୍ୟନ୍ତ ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ ସବୁକିଛି ବ୍ୟବସ୍ଥିତ କରାଯାଉଛି । ବାଗିସ୍ଙ୍କ ସୂଚନା ଆଧାରରେ ଯେତେବେଳେ ୟୁଏଇର ଏହି ୱେବ୍ସାଇଟ୍ ପକ୍ଷରୁ ଉଭୟ ରୁଷ୍ ଏବଂ ୟୁକ୍ରେନ୍ର ବିଦେଶ ବିଭାଗ ସହ ସମ୍ପର୍କ କରାଗଲା ସେତେବେଳେ ବାଗିସ୍ଙ୍କ କଥାରେ ସତ୍ୟତା ଥିବା ଜଣାପଡିଛି । ବାଗିସ୍ କହିଛନ୍ତି, ବାଲି ଠାରେ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଜି-୨ଠ ସମ୍ମିଳନୀର ମୂଳ ଏଜେଣ୍ଡା ‘ବିଶ୍ୱ ଶାନ୍ତି’ ରହିବ । ବିଶ୍ୱସ୍ତରରେ ପୁନଃ ଶାନ୍ତି ସ୍ଥାପନ ଉପରେ ଜି-୨ଠ ସଦସ୍ୟ ରାଷ୍ଟ୍ରମାନେ ଆଲୋଚନା କରିବେ । ସେହିପରି ଚଳିତ ଥର ୟୁଏଇ ଏବଂ ୟୁକ୍ରେନ୍ ଅତିଥି ରାଷ୍ଟ୍ର ଭାବେ (ଅଣ ଜି-୨ଠ ସଦସ୍ୟ ରାଷ୍ଟ୍ର) ଏହି ସମ୍ମିଳନୀରେ ସାମିଲ ହେଉଥିବାରୁ ସେମାନେ ମଧ୍ୟ ସେମାନଙ୍କ ଆଭିମୁଖ୍ୟ ରଖିବେ । ଏତଦ୍ବ୍ୟତୀତ ସ୍ୱାସ୍ଥ୍ୟ, ଡିଜିଟାଲ ଟ୍ରାନ୍ସଫର୍ମେସନ୍ ଏବଂ ଶକ୍ତି ଆଦି ଉପରେ ମଧ୍ୟ ଫୋକସ୍ କରାଯିବ । ବିଶ୍ୱ ଖାଦ୍ୟ ସଂକଟ ଏବଂ ସିରିଆରେ ସୃଷ୍ଟି ହୋଇଥିବା ସିଭିଲ୍ ୱାର୍ ଉପରେ ମଧ୍ୟ ଆଲୋଚନା କରାଯିବ ବୋଲି ବାଗିସ୍ କହିଛନ୍ତି ।
ପ୍ରକାଶ, କିଛି ଦିନ ପୂର୍ବେ ଆମେରିକାର ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଥିଲା ଯେ, ଯଦି ଜି-୨ଠ ସମ୍ମିଳନୀ ପାଇଁ ପୁତିନ୍ ଆସୁଛନ୍ତି ତେବେ ଜେଲେନ୍ସ୍କିଙ୍କୁ ମଧ୍ୟ ଏଥିପାଇଁ ଆମନ୍ତ୍ରଣ କରାଯିବା ଉଚିତ୍ । ସେହିପରି ଦିନକ ପୂର୍ବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ମଧ୍ୟ କହିଥିଲେ ଯେ, ଜି-୨ଠ ସମ୍ମିଳନୀ ପରିପ୍ରେକ୍ଷୀରେ ସେ ପୁତିନ୍ଙ୍କୁ ନିଶ୍ଚିତ ସାକ୍ଷାତ କରିବେ । ଅନ୍ୟପକ୍ଷେ ବାଗିସ୍ ମଧ୍ୟ କହିଛନ୍ତି, ପୁତିନ, ବାଇଡନ୍ଙ୍କ ଆଲୋଚନା ସାକ୍ଷାତକାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ସେହିପରି ପୁତିନ୍ ଏବଂ ଜେଲ୍ନ୍ସ୍କିଙ୍କ ରହଣି ପାଇଁ ପୃଥକ୍ ପୃଥକ୍ ହୋଟେଲରେ ବନେ୍ଦାବସ୍ତ କରାଯାଇଥିବା ବାଗିସ୍୍ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ବାଲି ଠାରେ ଆୟୋଜିତ ହେବାକୁ ଥିବା ଜି-୨ଠ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦଦ୍ର ମୋଦି ମଧ୍ୟ ସାମିଲ ହେବେ । ସେହିପରି ୨ଠ୨୩ରେ ଆୟୋଜିତ ହେବାକୁ ଥିବା ଜି-୨ଠ ସମ୍ମିଳନୀ ଭାରତରେ ଆୟୋଜନ ହେବ ।