ନେହା ସିଂ ରାଠୋରଙ୍କ ପାଇଁ ବଢିଲା ଅଡୁଆ, ଘରକୁ ଯାଇ ପୋଲିସ ଦେଲା ନୋଟିସ
କାଞ୍ଚନଟିଭି ବ୍ୟୁରୋ : ଉତ୍ତର ପ୍ରଦେଶ ପୋଲିସ ତରଫରୁ ଲୋକଗୀତ ଗାୟୀକା ନେହା ସିଂ ରାଠୋରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ୟୁପି ପୋଲିସ ନେହାଙ୍କ ଘରକୁ ଯାଇ ଏକ ନୋଟିସ ଦେଇଛି । ନେହାଙ୍କ ଗୀତ ୟୁପି ମେ କାବା ପାର୍ଟ-୨କୁ ନେଇ ଦେଖାଦେଇଥିବା ବିବାଦ କାରଣରୁ ପୋଲିସ ତାଙ୍କୁ ନୋଟିସ ପଠାଇଥିବା କଥା କୁହାଯାଇଛି । ୟୁପି ପୋଲିସ କହିଛି କି, ନେହାଙ୍କ ଗୀତକୁ ନେଇ ତାଙ୍କୁ ୭ଟି ପ୍ରଶ୍ନ ପଚରାଯାଇଛି । ଏହାର ଜବାବ୍ ୩ଦିନ ମଧ୍ୟରେ ଦେବାକୁ ନେହାଙ୍କୁ ନୋଟିସ କରାଯାଇଛି । ଏଥିରେ କୁହାଯାଇଛି କି,ତାଙ୍କ ଗୀତ ସମାଜ ପ୍ରତି ବିପଦ ରହିଛି ।
ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ନେହା ଉତ୍ତର ପ୍ରଦେଶ ସରକାରଙ୍କ ବିରୋଧରେ ଗୀତଗାଇ ଚର୍ଚ୍ଚାକୁ ଆସିଥିଲେ । ଏବେ ନେହା ଉତର ପ୍ରଦେଶରେ ୟୁପି ମେ କାବା ଗୀତର ପାର୍ଟ-୨ ରିଲିଜ କରିଛନ୍ତି । ନେହା ଏହି ଗୀତରେ କାନପୁର ଦୁଷ୍କର୍ମ କାଣ୍ଡକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ସେପଟେ ନେହାଙ୍କ ଗୀତକୁ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ତରଫରୁ ବିରୋଧ କରାଯାଇଛି । ନେହା ତାଙ୍କର ଏହି ଗୀତରେ ବିଶ୍ୱବିଦ୍ୟାଳୟର ରାଜନୀତିକୁ ନେଇ ଟାର୍ଗେଟ୍ କରିଥିଲେ । ଏହାକୁ ସେଠିକାର ଛାତ୍ରନେତା ଓ ଛାତ୍ରମାନେ ଘୋର ବିରୋଧ କରିଥିଲେ । ସେପଟେ ନେହାଙ୍କୁ କରାଯାଇଥିବା ନୋଟିସର ଜବାବ ଯଦି ୩ଦିନ ମଧ୍ୟରେ ଦିଆ ନଯାଏ ତେବେ ନେହାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।