ପୋଷା କୁକୁରର ପିଣ୍ଡଦାନ ! କୁକୁରର ଆତ୍ମା ଶାନ୍ତି ପାଇଁ ୭୪୬ କି.ମି. ଦୂରରୁ ଆସି ଗୟାରେ ଅସ୍ତି ବିସର୍ଜନ କଲେ ପରିବାର ।
ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ଆଜିର ସମୟରେ ଯେଉଁଠି ଗୋଟିଏ ଘରେ ରହି ସୁଦ୍ଧା ଭାଇ ଭାଇ ମଧ୍ୟରେ ଭଗାରୀ ଭାବ ସୃଷ୍ଟି ହେଉଛି ସେହି ସମାଜରେ ପଶୁପକ୍ଷୀଙ୍କ ପ୍ରତି ପ୍ରେମ କ୍ୱଚିତ ହିଁ ଦେଖିବାକୁ ମିଳେ । ଯେଉଁ ସମୟରେ ଲୋକେ ନିଜର ପରିଜନ, ବନ୍ଧୁବର୍ଗଙ୍କୁ ଭୂଲି ଯାଉଛନ୍ତି , ଜଟଣୀର ଗାନ୍ଧୀ ନଗରରେ ମାନବିକତାର ଏକ ଉଦାହରଣ ଦେଖିବାକୁ ମିଳିଛି । ପୋଷାକୁକୁରର ଆତ୍ମାର ଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରିଛନ୍ତି ଏକ ପରିବାର। ପୋଷା କୁକୁର ପ୍ରତି ଏଭଳି ଭଲପାଇବା , ସ୍ନେହ ଓ ଶ୍ରଦ୍ଧା ଏବେ କେଉଁଠି ନା କେଉଁଠି ମନୁଷ୍ୟ ଭିତରେ ବଞ୍ଚିରହିଥିବା ଦେଖି ଲୋକମାନେ ମଧ୍ୟ ଭାବୁକ ହୋଇପଡିଛନ୍ତି। ଜଟଣୀ ଗାନ୍ଧୀନଗରରେ ବାସ କରୁଥିବା ସମାଜସେବୀ ଜୟକୃଷ୍ନ ନାୟକ ଓ ତାଙ୍କ ଧର୍ମ ପତ୍ନୀ ସମାଜସେବୀକା କାଞ୍ଚନ ବାଳା ନାୟକ ଓ ତାଙ୍କ ନାତି ମନୋରଞ୍ଜନ ନାହାକ ଙ୍କ ପଶୁ ପ୍ରତି ସ୍ନେହ ଏଠାକାର ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି ।
ଜୟକୃଷ୍ଣ କିଛିବର୍ଷ ହେବ କଳୀଙ୍ଗ ବିହାରରେ ବାସ କରୁଥିଲେ । ସେ ସେଠାରେ ଏକ ପୋଷା କୁକୁରକୁ ପାଳିଥିଲେ । ଯାହାର ନାଁ ଥିଲା ମିକି । ଜୟକୃଷ୍ଣଙ୍କ ପରିବାର ସଦସ୍ୟ ପରି ମିକି ତାଙ୍କ ଘରେ ରହୁଥିଲା । ପରିବାର ପରିଜନଙ୍କ ମୃତ୍ୟୁରେ ଯେଭଳି ଶେଷକୃତ୍ୟ ସଂପନ୍ନ କରାଯାଏ ସେହିପରି ଜୟକୃଷ୍ଣ ଓ ତାଙ୍କ ଧର୍ମ ପତ୍ନୀ କାଞ୍ଚନ ବାଳା ଓ ତାଙ୍କ ନାତି ମନୋରଞ୍ଜନ ନାହାକ କୁକୁରର ମଧ୍ୟ ସମସ୍ତ ପିଣ୍ଡ କାର୍ୟ୍ୟ ସଂପନ୍ନ କରିଛନ୍ତି ।
ପ୍ରଥମେ ହିନ୍ଦୁ ରୀତି ନୀତି ଅନୁସାରେ କୁକୁରକୁ ମୁଖାଗ୍ନି ଦେବା ପରେ ଗୟା ସ୍ଥିତ ଫାଲଗୁ ନଦୀରେ ଅସ୍ତି ବିସର୍ଜନ କରିଛନ୍ତି । ମିକିର ପିଣ୍ଡଦାନ ପରେ ଶ୍ରାଦ୍ଧ ମଧ୍ୟ କରିଛନ୍ତି ।ବ୍ରାହ୍ମଣ ମନ୍ତ୍ର ପାଠ କରି ଅମର ଆତ୍ମାର ମଙ୍ଗଳ କାମନା କରିବା ସହ ମୋକ୍ଷ ପ୍ରାପ୍ତି ପାଇଁ ହୋମ କରୁଛନ୍ତି ।
ଏହି ପୂଜା ବିଧି କୌଣସି ମଣିଷ ଆତ୍ମାର ମୋକ୍ଷ ପ୍ରାପ୍ତି ପାଇଁ ନୁହେଁ ବରଂ ଏକ କୁକୁରର ଆତ୍ମା ମୋକ୍ଷ ପ୍ରାପ୍ତି ପାଇଁ ଚାଲିଛି ପୂଜା । ସମ୍ପୂର୍ଣ୍ଣ ରିତିନୀତି ଅନୁସାରେ ପୂଜା ସରିଲା ପରେ ବ୍ରାହ୍ଣଣ ଭୋଜନ ଏବଂ ତାପରେ ଭୋଜି ଦେଇ ନିଜର କର୍ତବ୍ୟ ସମ୍ପନ୍ନ କରିଛନ୍ତି ଜୟକୃଷ୍ଣ ।