ପୋଷ୍ଟର ଓ ବ୍ୟାନର, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ନେଲା ବିଏମସି
ଭୁବନେଶ୍ୱର:(କାଞ୍ଚନ ଟିଭି) ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ଓ ବ୍ୟାନର । କାନ୍ଥବାଡ଼ରେ ଲେଖାଯାଇଥିବା ଦଳୀୟ ସ୍ଲୋଗାନ ମଧ୍ୟ ହଟାଯିବ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛି ଭୁବନେଶ୍ବର ମହାନଗର ନିଗମ। ଆଉ ରାଜଧାନୀର କାନ୍ଥ ବାଡ଼ରେ ଲାଗିବ ନାହିଁ କୌଣସି ଦଳର ପୋଷ୍ଟର, ବ୍ୟାନର ଓ ୱାଲ ପେଣ୍ଟିଂ। ଯେଉଁ ଦଳ ଗୁଡିକ ନିଜ ଦଳ ଓ ନେତାଙ୍କର ମାଇଲେଜ୍ ପାଇଁ ପୋଷ୍ଟର, ବ୍ୟାନର ଲଗାଇବା କିମ୍ବା ୱାଲ୍ ପେଣ୍ଟିଂ କରିଛନ୍ତି ସେଗୁଡିକ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଛି ବିଏମସି । ଏନେଇ ସୂଚନା ଦେଲେ ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ। ପ୍ରତ୍ୟେକ ଥର ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟକ୍ରମ ହୋଇଥାଏ। ତେଣୁ ସମସ୍ତ ରାଜନୈତିକ ଦଳ ଗୁଡିକ ଏନେଇ ଅବଗତ ଅଛନ୍ତି ଏବଂ ଏହି କାମରେ ବିଏମସିକୁ ସହଯୋଗ କରୁଥିବା କମିଶନର ସୂଚନା ଦେଇଛନ୍ତି। ୩ ଟି ଜୋନର ଜେଡିସିଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଏମସି କମିଶନର। ପୂର୍ବୁ ଏହି କାର୍ଯ୍ୟ ପାଇଁ ବିଏମସି ପ୍ରାୟ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରି ସାରିଛି । ୩୦ ରୁ ଅଧିକ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ମଧ୍ୟ ଦିଆଯାଇଛି।