ବଡ଼ଦିନରେ ଭୁବନେଶ୍ୱରରେ ପହଞ୍ଚିଛି ହକି ବିଶ୍ୱକପର ଟ୍ରଫି
ଭୁବନେଶ୍ୱର:(ବ୍ୟୁରୋରିପୋର୍ଟ୍) ବିଭିନ୍ନ ରାଜ୍ୟରେ ପରିକ୍ରମା କରିବା ପରେ ରବିବାର ବଡ଼ଦିନରେ ଭୁବନେଶ୍ୱରରେ ପହଞ୍ଚିଛି ହକି ବିଶ୍ୱକପର ଟ୍ରଫି । ଟ୍ରଫି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଭିନ୍ନ ବାଦ୍ୟର ତାଳେ ତାଳେ ଏହାକୁ ଭବ୍ୟ ସ୍ୱାଗତ କରାଯାଇଛି । ଟ୍ରଫିକୁ ସ୍ୱାଗତ କରିବାକୁ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ମେୟର ସୁଲୋଚନା ଦାସ ବିମାନବନ୍ଦରରେ ପହଞ୍ଚିଥିଲେ । ଏହାଛଡ଼ା କ୍ରୀଡ଼ା ବିଭାଗର ଅଧିକାରୀ ଓ ଅନ୍ୟ କର୍ପୋରେଟରମାନେ ବି ବମାନବନ୍ଦରରେ ଉପସ୍ଥିତ ଥିଲେ ।
ସେଠାରେ ଟ୍ରଫିକୁ କ୍ରୀଡ଼ାମନ୍ତ୍ରୀ ଭୁବନେଶ୍ୱର ମେୟରଙ୍କୁ ହସ୍ତାନ୍ତର କରିବା ପରେ ଏହାକୁ ରାଜଧାନୀରେ ପରିକ୍ରମା କରାଯାଇଥିଲା ।
ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପାଖରେ ବିଏମ୍ସି ତରଫରୁ ଭବ୍ୟ ସ୍ୱାଗତ ଜଣାଯାଇଥିଲା । ଯେଉଁଠି ୧୧୦ ଓଡ଼ିଶୀ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ । କଡ଼ା ସୁରକ୍ଷା ଭିତରେ ଏହି ଟ୍ରଫି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ବାଇକ ରାଲିରେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲା ଟ୍ରଫି । ଯେଉଁଠି ୧୦୧ ପଣ୍ଡିତ ବେଦମନ୍ତ୍ର ପାଠ କରିଥିଲେ । ତାପରେ ଏସପ୍ଲାନେଡ ମଲ, ସୋଆ ବିଶ୍ୱବିଦ୍ୟାଳୟ, କିଟ୍ ଗ୍ରାଉଣ୍ଡ ଆଦି ଯାତ୍ରା କରିଥିଲା ।
ପରେ ପର୍ଯ୍ୟାୟକ୍ରମେ ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲାକୁ ଯିବ ଏବଂ ଜାନୁୟାରି ୧୧ ତାରିଖରେ ପୁଣି ଭୁବନେଶ୍ୱରକୁ ଟ୍ରଫି ଫେରିବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ଗତ ୫ ତାରିଖରେ ଏହି ଟ୍ରଫି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କୁ ହସ୍ତାନ୍ତର କରିଥିଲେ ।
ଏହି ଟ୍ରଫି ଟୁର୍ ଡିସେମ୍ବର ୫ରୁ ଆରମ୍ଭ ହେଇ ଦେଶର ବିଭିନ୍ନ ସହର ଦେଇ ପୁଣି ୨୫ରେ ଭୁବନେଶ୍ୱରରେ ପହଞ୍ଚିଛି । ଏହା ୧୨ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ ଯାଇଥିଲା । ଉଲ୍ଲେଖଯୋଗ୍ୟ, ଆସନ୍ତା ଜାନୁଆରୀ ୧୩ରେ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଯାଉଛି ।