ବାଲିଯାତ୍ରା ପ୍ଲଟକୁ ନେଇ ବିବାଦ ତେଜିବାରେ ଲାଗିଛି
କଟକ(କାଞ୍ଚନଟିଭି ବ୍ୟୁରୋ ରିପୋର୍ଟ୍) : ଐତିହାସିକ ବାଲିଯାତ୍ରାକୁ ନେଇ ବିବାଦ ତେଜିବାରେ ଲାଗିଛି । ପ୍ଲଟ ଆବଣ୍ଟନ ପ୍ରକିୟାରେ ନିଲାମ ବ୍ୟବସ୍ଥାକୁ ନେଇ ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ ପକ୍ଷରୁ କଡ଼ା ବିରୋଧ କରାଯାଇଛି । ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ୨୦୧୯ ମସିହା ତୁଳନାରେ ଷ୍ଟଲପାଇଁ ଜାଗା ଦର ବର୍ଗ ଫୁଟ ପିଛା ଢେର ବୃଦ୍ଧି କରାଯାଇଛି । ନିଲାମ ପ୍ରକ୍ରିୟା କରିବା ଦ୍ୱାରା ସମସ୍ୟା ମଧ୍ୟ ଆଗକୁ ସୃଷ୍ଟି ହେବ । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଏକାଧିକ ବ୍ୟବସାୟୀ ଗୋଟିଏ ପ୍ଲଟ ପାଇଁ ନିଲାମରେ ସାମିଲ ହେବେ ଆଉ ଯିଏ ଅଧିକ ଦାମ ଦେବ ସେ ହିଁ ଜମି ପାଇବ । ପୁରୁଣା ତଥା ଦୀର୍ଘଦିନ ଧରି ବ୍ୟବସାୟ କରି ଆସୁଥିବା ବ୍ୟବସାୟୀମାନେ ଏଥର ହୁଏତ ଜମି ପାଇବେ ନାହିଁ । ଯଦି ବ୍ୟବସାୟୀମାନେ ଚଢା ଦରରେନେବେ ତାହା ହେଲେ ସେମାନେ ବିକ୍ରି କରୁଥିବା ଜିନିଷର ଦର ମଧ୍ୟ ବୃଦ୍ଧି ପାଇବ । ଯାହାର ପ୍ରଭାବ ସିଧାସଳଖ ଗ୍ରାହକମାନଙ୍କ ଉପରେ ପଡ଼ିବ । ଆଉ ବ୍ୟବସାୟ କମିଲେ ସେମାନେ କ୍ଷତି ସହିବେ । ଏହି ବ୍ୟବସ୍ଥା ଦ୍ୱାରା କେବଳ କିଛି ବଡ଼ ବଡ଼ ବ୍ୟବସାୟୀ ଚଢା ଦରରେ ପ୍ଲଟ ହାତେଇବେ । ଏଭଳି ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ଦାବି କରିଛି ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ । ଏହାସହ କଟକ ଜିଲ୍ଲା ପ୍ରଶାସନ ଐତିହାସିକ ବାଲିଯାତ୍ରାର ଅସ୍ମିତାକୁ କୁଠାରାଘାତ କରିଛି ବୋଲି ଅଭିଯୋଗ ଆଣିଛି ମିଳିତ ମଞ୍ଚ ।
ଏହି ନିଷ୍ପତ୍ତିର ପୁନବିର୍ଚାର ବା ପ୍ରତ୍ୟାହାର କରା ନ ଗଲେ ଆଗକୁ କଡା ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି ବ୍ୟବସାୟୀ ସଂଘ । ପୂର୍ବ ପରି ଅର୍ଥାତ ବ୍ୟବସାୟୀମାନେ ପ୍ଲଟ ନିଲାମ ବଦଳରେ ପୂର୍ବ ଢାଞ୍ଚାରେ ପୁରୁଣା ବ୍ୟବସାୟୀମାନଙ୍କୁ ପ୍ରଧାନ୍ୟ ଦେଇ ପ୍ଲଟ ବିକ୍ରି କରିବା ପାଇଁ ସଂଘ ପକ୍ଷରୁ ଦାବୀ କରାଯାଇଛି । ନଚେତ ଆଗାମୀ ଦିନରେ ଏ ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ତୀବ୍ର ବିରୋଧ କରାଯିବ ବୋଲି ମଞ୍ଚପକ୍ଷରୁ କୁହାଯାଇଛି । ଅନ୍ୟପଟେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ପ୍ଲଟ ଆବଣ୍ଟନ ପକ୍ରିୟାରେ ସ୍ୱଚ୍ଛତା ଆସିବା ପାଇଁ ଏଭଳି ନିଲାମ ପକ୍ରିୟା କରାଯାଇଛି । ଯେଉଁ ପ୍ଲଟ ପାଇଁ ଏକାଧିକ ଦାବିଦାର ଥିବେ କେବଳ ସେହି ପ୍ଲଟର ନିଲାମ କରାଯିବ । ଆଉ ଯେଉଁ ପ୍ଲଟ ଗୁଡିକରେ ଜଣେରୁ ଅଧିକ ନ ଥିବେ ସେ ପ୍ଲଟ ସିଧାସଳଖ ଆବେଦନ କରିଥିବା ବ୍ୟବସାୟୀଙ୍କୁ ପ୍ରଦାନ କରାଯିବ । ଏଥିସହ ଚଳିତ ବର୍ଷ ରାସ୍ତା କଡରେ ବ୍ୟବସାୟ କରୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ୯ ଦିନ ପାଇଁ କେବଳ ଏକ ହଜାର ଟଙ୍କାରେ ଷ୍ଟଲ ପାଇଁ ଜାଗା ଦିଆଯିବ । ଫଳରେ ସେମାନେ ସୁବିଧାରେ ବ୍ୟବସାୟ କରି ପାରିବେ । ଏହି ପ୍ରକ୍ରିୟା ଦ୍ୱାରା ପ୍ଲଟ ଆବଣ୍ଟନରେ ସ୍ୱଚ୍ଛତା ଆସିବା ସହିତ ମୁନାଫାଖାର ଓ ମଧ୍ୟସ୍ତି କରି ପ୍ଲଟ ହାତଉଥିବା ଅସାଧୁ ବ୍ୟବସାୟୀ ସାବାଡ଼ ହାଇପାରିବେ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ।