ବାହାନଗା ଟ୍ରେନ୍ ଟ୍ରାଜେଡି
ବାଲେଶ୍ୱର: ବାହାନଗା ରେଳ ଷ୍ଟେସନରେ ଘଟିଥିବା ଭୟଙ୍କର ସ୍ଥିତି ପରଖିବାକୁ ଦୁର୍ଘଟଣାସ୍ଥଳରେ ଶନିବାର ଦିନ ସକାଳେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦୁର୍ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ସହ ଆହତମାନଙ୍କୁ ଭେଟିବା ଲାଗି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି।
ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବାହାନଗା ଟ୍ରେନ ଟ୍ରାଜେଡିର ସ୍ଥିତି ସମୀକ୍ଷା କରିବାକୁ ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଥିବାବେଳେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ଅନେକ ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଦୁର୍ଘଟଣାସ୍ଥଳରେ ରହିଛନ୍ତି।
ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାଟିତଳେ ଦବି ରହିଥିବା ଟ୍ରେନର ବଗିକୁ କଟର ସହାୟତାରେ କାଟି ଶବଗୁଡ଼ିକୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ଆହୁରି ଅଧିକ ବଢ଼ିବ ବୋଲି ଆଶଙ୍କା କରାଯାଉଛି।