ବିଶ୍ବ ଅର୍ଥନୀତିକୁ ମାନ୍ଦାବସ୍ଥା ମାଡ଼ିଆସୁଛି
ନୂଆଦିଲ୍ଲୀ:(ବ୍ୟୁରୋ ରିପୋର୍ଟ୍)ବିଶ୍ବ ଅର୍ଥନୀତି ପୁଣି ମାନ୍ଦାବସ୍ଥା କବଳରେ ପଡ଼ିବାକୁ ଯାଉଛି। ବିଶ୍ବର ବିଭିନ୍ନ ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି, କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ବାରା ସୁଧହାର ବାରମ୍ବାର ବୃଦ୍ଧି, ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣ ଜୋରଦାର କରିବା ଏବଂ ଚୀନରେ କରୋନା ସଂକ୍ରମଣ ବୃଦ୍ଧି ସହିତ ଅନ୍ୟାନ୍ୟ କାରଣ ପାଇଁ ବିଶ୍ବ ଅର୍ଥନୀତିକୁ ମାନ୍ଦାବସ୍ଥା ମାଡ଼ିଆସୁଛି।
ବିଶ୍ବବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ଠାରୁ ଆରମ୍ଭ କରି ଆମେରିକାର ଅନ୍ୟତମ ବୃହତ୍ ବ୍ୟାଙ୍କ ଜେପି ମର୍ଗାନ ଚେଜ୍ ଆଣ୍ଡ୍ କୋ’ର ସିଇଓ ଜେମି ଡାଇମନ ପ୍ରମୁଖ ଏହି ବିପଦ ସପର୍କରେ ସତର୍କ କରାଇ ଦେଇଛନ୍ତି। ଜେମିଙ୍କ କହିବାନୁଯାୟୀ ୟୁରୋପ ଏବେ ମାନ୍ଦାବସ୍ଥାରେ ରହିଛି ଏବଂ ଆସନ୍ତା ୬ରୁ ୯ ମାସ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ମାନ୍ଦାବସ୍ଥାକୁ ସମ୍ମୁଖୀନ କରିପାରେ।
ଗତ ଜୁନ୍ରେ ଗୋଲ୍ଡମ୍ୟାନ ସାଚ୍ସ ପକ୍ଷରୁ ଆମେରିକା ଅର୍ଥନୀତି ଆସନ୍ତାବର୍ଷ ବେଳକୁ ମାନ୍ଦାବସ୍ଥାରେ ପଡ଼ିବାର ୩୦% ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଥିଲା। ସେହିଭଳି ବିଶ୍ବବ୍ୟାଙ୍କ ସଭାପତି ଡେଭିଡ ମଲପାସ ଏବଂ ଆଇଏମଏଫ ଏମ୍ଡି କ୍ରିଷ୍ଟାଲିନା ଜର୍ଜିଏଭା ମଧ୍ୟ ସୋମବାର ମାନ୍ଦାବସ୍ଥା ବିପଦ ବଢ଼ୁଥିବା ନେଇ ସତର୍କ କରାଇ ଦେଇଛନ୍ତି। ମାନ୍ଦାବସ୍ଥା ଆଶଙ୍କା ଦେଖାଦେବା ପରେ ଆଜି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିଛି।