ଭାରତରେ ନିଆଯାଏ ସାକ୍ଷାତକାର ପାକିସ୍ଥାନରେ ଦିଆଯାଏ ଯମ ଯନ୍ତ୍ରଣା
ନୂଆଦିଲ୍ଲୀ:(କାଞ୍ଚନ ଟିଭି) ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆକାଶ-ପାତାଳର ପାର୍ଥକ୍ୟ ରହିଛି। ଯେତେବେଳେ ଗୁପ୍ତଚରମାନଙ୍କ କଥା ଆସେ, ତେବେ ଏହି କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବଡ଼ ପାର୍ଥକ୍ୟ ଦେଖାଯାଏ। ଭାରତ ଓ ପାକିସ୍ତାନ ଗୁପ୍ତଚରମାନଙ୍କ ସହ କିଭଳି ବ୍ୟବହାର କରନ୍ତି ତାହାର ଏକ ତାଜା ଉଦାହରଣ ସାମ୍ନାକୁ ଆସିଛି। ଗତ କିଛି ଦିନ ହେବ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ପାକିସ୍ତାନର ଗୁପ୍ତଚର ବୋଲି ଦାବି ହେଉଥିଲେ ବି ତାଙ୍କ ବିରୋଧରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ହେଲେ ପାକିସ୍ତାନରେ ୫ବର୍ଷ ହେଲାଣି ଜଣେ ଭାରତୀୟ, ଗୁପ୍ତଚର ସନ୍ଦେହରେ ଜେଲରେ ବନ୍ଦୀ ଥିବା ଜଣାପଡ଼ିଛି। ଭାରତରେ ଗୁପ୍ତଚର ଆରୋପ ଲାଗିବା ପରେ ଜଣେ ସାକ୍ଷାତକାର ଉପରେ ସାକ୍ଷାତକାର ଦେଉଥିବା ବେଳେ ପାକିସ୍ତାନରେ ଗୁପ୍ତଚର ଆରୋପ ଲାଗିଲେ ମୃତ୍ୟୁଦଣ୍ଡ ଦିଆଯାଉଛି। ଏଠାରେ ଆମେ ମଧ୍ୟପ୍ରଦେଶର ବାସିନ୍ଦା ୩୬ବର୍ଷୀୟ ପ୍ରସନଜିତ ରଞ୍ଜାରୀଙ୍କ କଥା କହୁଛୁ। ସେ ୫ବର୍ଷ ହେଲାଣି ନିଖୋଜ୍ ଥିବା ବେଳେ ଏବେ ସେ ପାକିସ୍ତାନରେ ବନ୍ଦୀ ଥିବା ଜଣାପଡ଼ିଛି। ଜାଣିବାକୁ ମିଳିଛି ଯେ ସେ ଲାହୋରର କୋଟ ଲଖପତ ଜେଲର ବ୍ଲକ ୪ରେ ରହୁଛନ୍ତି। ଗୁପ୍ତଚର ଅଭିଯୋଗରେ ତାଙ୍କୁ ସେଠାରେ ରଖାଯାଇଛି। ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ଜେଲରେ ରଖିବାର ଦଣ୍ଡ ଦେଇଛି ପାକିସ୍ତାନ ଅଦାଲତ। ଜଣେ ପୂର୍ବତନ ଭାରତୀୟ କଏଦୀ ତାଙ୍କ ପରିବାରକୁ ଏହି ସୂଚନା ଦେଇଥିଲେ ବୋଲି ଜଣାପଡ଼ିଛି।