ଭୂତକୋଠି ପାଲଟିଛି କ୍ରାଫ୍ଟ ଭିଲେଜ

ଭୂତକୋଠି ପାଲଟିଛି କ୍ରାଫ୍ଟ ଭିଲେଜ

ପିପିଲି:(ବ୍ୟୁରୋ ରିପୋର୍ଟ୍)ପିପିଲି ଟୋଲ ଗେଟ ନିକଟରେ 20କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କ୍ରାଫ୍ଟ ଗ୍ରାମ ଏବେ ପାଲଟିଛି ଭୂତକୋଠୀ। ଦିନକୁ ଦିନ ଚାନ୍ଦୁଆ ଶିଳ୍ପ ନିମ୍ନଗାମୀ ହେଉଥିବା ନେଇ ଶିଳ୍ପୀ ପରିବାର ରାଜ୍ୟ ସରକାରଙ୍କ ଉଦାସୀନତାକୁ ଦାୟୀ କରିଥିଲା ବେଳେ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟ ସରକାରଙ୍କୁ କଠୋର ସମାଲୋଚନା କରି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଦେଶରେ ଏକାଧିକ ସ୍ଥାନରେ ଚାନ୍ଦୁଆ ହସ୍ତଶିଳ୍ପ ହେଉଥିବା ବେଳେ ପିପିଲି ଚାନ୍ଦୁଆର ରହିଛି ସ୍ୱତନ୍ତ୍ର ପରିଚୟ। ସେଥିପାଇଁ କେନ୍ଦ୍ର ସରକାର ପିପିଲି ଚାନ୍ଦୁଆକୁ ନିକଟ ଅତୀତରେ ଜିଆଇ ଟ୍ୟାଗର ମାନ୍ୟତା ଦେଇ ଏହି ଶିଳ୍ପ ଓ କାରିଗରଙ୍କ ବିକାଶ କଥା ଚିନ୍ତା କରୁଛନ୍ତି ହେଲେ ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପିପିଲି ଟୋଲ ଗେଟ ନିକଟରେ ପ୍ରାୟ 20 କୋଟି ଟଙ୍କା ବ୍ୟୟରେ କ୍ରାଫ୍ଟ ଗ୍ରାମ ଜରିଆରେ ସ୍ଵତନ୍ତ୍ର ଚାନ୍ଦୁଆ ବଜାର ତିଆରି ହେଲା।

୨୦୦୭ ମସିହା ଜୁଲାଇ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତପ୍ରସ୍ତର ସ୍ଥାପନ ମଧ୍ୟ କରିଥିଲା ବେଳେ କିଛି ଦିନ ପରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲା। ହେଲେ ଏହା ତିଆରି ହେବା ଠାରୁ ସେହିପରି ରହିଛି, ଗୋଟିଏ ଦିନ ପାଇଁ ମଧ୍ୟ କାମରେ ଆସିନି। ସେପଟେ ଚାନ୍ଦୁଆ କାମ କରି ପରିବାର ଚଳାଇବା କଷ୍ଟ ହେଉଛି ହେଲେ ଏହା ଆମର କୌଳିକ ବୃତ୍ତି , ବାପା ଜେଜେ ବାପା ଅମଳରୁ ଆମେ ଏଇ କାମ କରି ଆସୁଛୁ। ଯାହା ହେଲେ ମଧ୍ୟ କଳା ଓ ପରମ୍ପରାକୁ ଆମେ ବଞ୍ଚାଇ ରଖିବୁ। ସରକାର ଅନେକ କଳାକାରଙ୍କୁ ମାସିକ 1200 ରୁ 1500ଟଙ୍କା ଭତ୍ତା ପ୍ରଦାନ କରୁଛନ୍ତି ହେଲେ ଆମେ କଣ କଳାକାର ନୁହେଁ। ତେଣୁ ଆମକୁ ମଧ୍ୟ କଳାକାର ଭତ୍ତା ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ଦର୍ଜି ପରିବାର। ପୂର୍ବରୁ ପିପିଲି ସହର ଦେଇ ଟୁରିଷ୍ଟ ଗାଡ଼ି ଯାତାୟାତ ହେଉଥିଲା। ଏବେ ନୂଆ ବାଇପାସ ରାସ୍ତା ହେବା ପରଠାରୁ ଆଉ ଟୁରିଷ୍ଟ ମାନଙ୍କ ଆସିବା କମିଛି ଫଳରେ ଚାନ୍ଦୁଆ ଶିଳ୍ପକୁ ପ୍ରଭାବ ପକାଇଛି। ଟୋଲ ଗେଟ ଠାରେ ତିଆରି ହୋଇଥିବା ଉକ୍ତ ଗ୍ରାମ ୧୫ ବର୍ଷ ହେବ ଭୂତକୋଠୀ ପାଲଟିଛି। ପୁର୍ବରୁ 150 ଚାନ୍ଦୁଆ ଦୋକାନରେ ଗହଳି ଚହଳି ଲାଗୁଥିଲା ହେଲେ ଏବେ ବ୍ୟବସାୟ ମାନ୍ଦା ହେବାରୁ ସେ ସ୍ଥାନରେ ଅନ୍ୟ ଦୋକାନ ହେଲାଣି, ଆଉ ମାତ୍ର 40ଟି ଚାନ୍ଦୁଆ ଦୋକାନ ରହିଛି, ସରକାରଙ୍କ ଆନ୍ତରିକତା ଅଭାବରୁ ଚାନ୍ଦୁଆ କାରିଗର ବାଲି ସିମେଣ୍ଟ କାମ କରିବାକୁ ଗଲେଣି ବୋଲି କହିଛନ୍ତି କାରିଗର କାଳିଆ ମହାପାତ୍ର। ସେହିପରି ନିର୍ବାଚନ ପୁର୍ବରୁ ମାଳମାଳ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିବା ପରେ ବାରମ୍ବାର ପ୍ରତାରଣା କରିଛନ୍ତି। ଦୀର୍ଘଦିନ ହେବ ଶାସନରେ ଥିବା ଶାସକ ଦଳର ବିଧାୟକମାନେ ବୋଲି କନକ ମାଝୀ ନାମକ ଜଣେ ମହିଳା କାରିଗର ଅଭିଯୋଗ କରିଛନ୍ତି।

ସେପଟେ ବିଜେପି ଓ କଂଗ୍ରେସ ଏନେଇ ସ୍ଥାନୀୟ ବିଧାୟକ ଏବଂ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି! ପିପିଲିର ସାତ ସାତ ଥରର ବିଧାୟକ ପିପିଲି ଚାନ୍ଦୁଆ ଓ କାରିଗରଙ୍କ ପାଇଁ କିଛି କରିଲେନି। ଏବେ ପୁଅ ବାପାଙ୍କ ଅଧୁରା ସ୍ଵପ୍ନ ପୂରଣ କରିବା କଥା ହାସ୍ୟାସ୍ପଦ। ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋ ପିପିଲିର ବିକାଶ ମୋ ଦାୟୀତ୍ବ ବୋଲି କହିଥିଲେ ହେଲେ 20 କୋଟି ଟଙ୍କାର ପ୍ରକଳ୍ପ ତ ଏବେ ଜରାଜୀର୍ଣ୍ଣ ହୋଇ ପଡ଼ିଛି। ­ସେପଟେ ଚାନ୍ଦୁଆ ପିପିଲିର କୁଟୀର ଶିଳ୍ପରୁ ଯାଇ ବିଶ୍ୱ ବଜାରରେ ସ୍ଵତନ୍ତ୍ର ଖ୍ୟାତି ଅର୍ଜନ କରିଥିଲା ବେଳେ କେନ୍ଦ୍ର ସରକାର ପିପିଲି ଚାନ୍ଦୁଆକୁ ଜିଆଇ ଟ୍ୟାଗର ମାନ୍ୟତା ଦେଲେ ରାଜ୍ୟ ସରକାର କଣ କରିଛନ୍ତି ? ତେଣୁ ସରକାର ଚାନ୍ଦୁଆ ଶିଳ୍ପ ଓ ଶିଳ୍ପୀଙ୍କ ପାଇଁ ତୁରନ୍ତ ବ୍ୟବସ୍ଥା କରନ୍ତୁ ବୋଲି ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଦାବି କରିଛନ୍ତି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!