ମତଦାନ ଶେଷ ସୁଦ୍ଧା ପ୍ରାୟ ୬୬.୬୩% ମତଦାନ

ମତଦାନ ଶେଷ ସୁଦ୍ଧା ପ୍ରାୟ ୬୬.୬୩% ମତଦାନ

ଭଦ୍ରକ:(ବ୍ୟୁରୋ ରିପୋର୍ଟ୍) ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଗୁରୁବାର ମତଦାନ ଶେଷ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ମତଦାନ ଶେଷ ସୁଦ୍ଧା ପ୍ରାୟ ୬୬.୬୩% ମତଦାନ ହୋଇଥିବା ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମତଦାନ ଶେଷ ହୋଇଥିବାରୁ ୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି । ଇଭିଏମ୍ ଗୁଡ଼ିକ ଧାମନଗରସ୍ଥିତ ଷ୍ଟ୍ରଙ୍ଗ୍ରୁମ୍ରେ ରଖାଯାଇଛି । ଆସନ୍ତା ୬ ତାରିଖ ଦିନ ଭୋଟ ଗଣତି ହେବା ସହ ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ।
ଧାମନଗରରେ ଗତ ନିର୍ବାଚନ ତୁଳନାରେ ଚଳିତ ଉପନିର୍ବାଚନରେ ଭୋଟ୍ ହାର କମିଛି । ଗତଥର ଭଳି ଏଥର ମତଦାତାମାନେ ବୁଥକୁ ଆସି ଭୋଟ ଦେବାକୁ ଆଗ୍ରହ ପ୍ରକାଶ କରିନାହାନ୍ତି । ଗତ ସାଧାରଣ ନିର୍ବାଚନରେ ଧାମନଗରରେ ୭୨.୦୧% ମତଦାନ ହୋଇଥିଲା । ମିଳିଥିବା ସୂଚନାମୂତାବକ, ଭୋଟ ଗ୍ରହଣ ବେଳେ କେତେକ କେନ୍ଦ୍ରରେ କାଁ ଭାଁ ଗଣ୍ଡଗୋଳ ଏବଂ ମେସିନ ଖରାପ ଇତ୍ୟାଦିକୁ ବାଦ ଦେଲେ ଅବଶିଷ୍ଟ ଜାଗାରେ କଡା ସୁରକ୍ଷା ମଧ୍ୟରେ ଉପ ନିର୍ବାଚନ ଶୃଙ୍ଖଳାର ସହ ସମ୍ପୂର୍ଣ୍ଣ ହୋଇଛି । ଭୋଟ ଗ୍ରହଣ ନିମନ୍ତେ ସମଗ୍ର ନିର୍ବାଚନ ମଣ୍ଡଳୀର ହୋଇଥିବା ମୋଟ ୨୫୨ ମତଦାନ କେନ୍ଦ୍ରରେ ମତଦାତା ମାନେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ନିର୍ବାଚନ ମଣ୍ଡଳୀର ମୋଟ ୨ଲକ୍ଷ ୩୮ହଜାର୪୧୭ଜଣ ମତଦାତା ଥିବାବେଳେ ୬୬.୬୩% ମତଦାନ ହୋଇଛି ।
ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ତାହା ଅପରାହ୍ନ ୬ଟା ପର୍ଯ୍ୟନ୍ତ ଚାଲିଥିବାବେଳେ ଅନ୍ଧାର କାରଣରୁ ବିଭିନ୍ନ ମତଦାନ କେନ୍ଦ୍ରରେ ଆଲୋକ ବ୍ୟବସ୍ଥା କରାଯିବା ସାଙ୍ଗକୁ ୮୦ବର୍ଷର ଅଧିକ ବୟସ୍କ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ମୋଟ ୯୮ ହାଲୁକା ଯାନର ବ୍ୟବସ୍ଥା କରାଯିବା ଏହି ନିର୍ବାଚନର ଏକ ନୂଆ ଘଟଣା । ଦିନକ ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଥିଲା । ନିର୍ବାଚନ ସମୟ ପୂର୍ବାହ୍ନରେ ସମ୍ପୃକ୍ତ ଅଞ୍ଚଳରେ ବଜାର ବନ୍ଦ ରହି ଲୋକେ ମତଦାନ କେନ୍ଦ୍ରର ଅନତି ଦୂରରେ ଭିଡ଼ ଜମାଇଥିଲେ । ଅନ୍ୟପକ୍ଷରେ ବଜାରର ସୁନସାନ ପରିବେଶ ମଧ୍ୟରେ ବହୁ ସଂଖ୍ୟାରେ ପୁଲିସ ଗାଡି ସମେତ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଗାଡି ଗୁଡ଼ିକ ଘନ ଘନ ପାଇଁତରା ମାରୁଥିବା ଦୃଶ୍ୟ ଯାହା ଅଞ୍ଚଳବାସୀଙ୍କ ପାଇଁ ଏକ ସ୍ମରଣୀୟ ଦିବସ ହୋଇଛି ।
ସକାଳେ ମତଦାନ ଆରମ୍ଭ ବେଳେ ୨୧୬ନଂ ସାହାଜି ପାଟଣା ବୁଥ୍ରେ ଏବଂ ଅପରାହ୍ଣରେ ୨୨୮ନଂ ସାହାସପୁର ବୁଥରେ ମେସିନ ଅଚଳ ଯୋଗୁଁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଦଳାଙ୍ଗ ପଞ୍ଚାୟତ ୧୬୯ ନଂ ବୁଥ୍ ଏବଂ ୧୭୦ନଂ ରାମେଶ୍ୱର ପୁର ବୁଥ, କଟସାହି ପଞ୍ଚାୟତର ୨୨ନଂ ଏବଂ ୨୩ନଂ ଛତିଶ ସାମିଲ ନୁନ୍ଦର ବୁଥ, କୋଠାର ପଞ୍ଚାୟତର ୧୯୧ନଂ ଡିଲୋ ବୁଥ, ୧୩୭ ନଂ ଏବଂ ୧୩୮ ନଂ ଆନନ୍ଦପୁର ବୁଥ୍ରେ ମତଦାନକୁ କେନ୍ଦ୍ର କରିଦୁଇ ରାଜନୈତିକ ଦଳର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ବାଡ଼ିଆ ପିଟା ହୋଇ କେତକ ଆହତ ହୋଇଛନ୍ତି ।
ଏନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି । ସେହିପରି ବୟାଙ୍ଗ ଡିହ ପଞ୍ଚାୟତ ଗୋଡିପୋଖରୀ ଉର୍ଦ୍ଧୁ ସ୍କୁଲ ବୁଥରେ ଗଣ୍ଡଗୋଳ ହୋଇ କେତେକ ଆହତ ହୋଇଥିବାବେଳେ ନଦୀଗାଁ ପଞ୍ଚାୟତ ୧୧ନଂ ୱାର୍ଡରେ ମତଦାନକୁ କେନ୍ଦ୍ର କରି ଶେଷ ଦେବ ସାହୁଙ୍କ ଘରେ ଅନ୍ୟ ଦଳର କର୍ମୀ ଗାଳିଗୁଲଜ କରିଥିବା ସମ୍ପର୍କରେ ଧୁଷୁରୀ ଥାନାରେ ଅଭିଯୋଗ ହୋଇଛି । ଗୋଲାପି ମତଦାନ କେନ୍ଦ୍ରରେ କେବଳ ମହିଳା ମାନେ ନର୍ବାଚନ ଦାୟିତ୍ୱ ତୁଲାଇବା ଏହି ଉପ ନିର୍ବାଚନର ଅନ୍ୟ ଏକ ନୂଆ ଆକର୍ଷଣ । ଆଗମୀ ଦିନରେ ଏହି ବୁଥ୍ ସଂଖ୍ୟା ସମସ୍ଥ ନିର୍ବାଚନ ମଣ୍ଡଳୀରେ ବଢ଼ା ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ସେହିପରି କେତକ ଆଦର୍ଶ ମତଦାନ କେନ୍ଦ୍ରରେ ବିଦ୍ୟାଳୟର ସ୍ୱେଚ୍ଛାସେବୀ ମାନେ ପରିଚାଳନାରେ ସହାୟତା କରିଥିଲେ । କେତକ ମତଦାନ କେନ୍ଦ୍ରରେ ଗୁପ୍ତ କେମେରା ଲାଗିଥିବା ଦେଖିବାକୁ ମିଳିଛି ।
ସେପଟେ ଉପନିର୍ବାଚନ ଲାଗି ନିୟୋଜିତ ଫାର୍ଷ୍ଟ ପୋଲିଂ ଅଫିସର୍ ନଟବର ମୁଣ୍ଡାଙ୍କ ଅକାଳ ବିୟୋଗ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା । ସେ ନିଜର ଅସୁସ୍ଥତା ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚିତ କରିବା ପରେ ବି ତାଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗତକାଲି ରାତିରେ ନଟବର ମୁଣ୍ଡା ଭୀଷଣ ଅସୁସ୍ଥ ହୋଇପଡ଼ିଥିଲେ । ପରିବାର ଲୋକେ ଗତକାଲି ତାଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ରାତିରେ ସେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଥିବାବେଳେ ତାଙ୍କ ମୃତୁ୍ୟ ପରେ ସରକାର ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!