ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ
ଭୁବନେଶ୍ୱର:(କାଞ୍ଚନଟିଭି) ଓଡିଶାର ମିଷ୍ଟାନ୍ନଗୁଡିକ ଭିତରେ ରସଗୋଲା ଯେ କେତେ ଗୁରୁତ୍ୱ ବହନ କରେ ଏକଥା କୌଣସି ଓଡିଆକୁ ବୁଝାଇବା ଆବଶ୍ୟକ ନାହିଁ । ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲର ବେଶ୍ ଗୁରୁତ୍ୱ ରହିଛି ।
ଆଜି ରସଗୋଲା ଦିବସ । ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ତିଥିରେ ପ୍ରତିବର୍ଷ ରସଗୋଲା ଦିବସ ପାଳିତ ହୋଇ ଆସୁଛି । ଶ୍ରାଜଗନ୍ନାଥ ସଂସ୍କୃତିରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ଅବସରରେ କାହିଁ କେତେ କାଳରୁ ରସଗୋଲା ଭୋଗ ଲାଗି ହୋଇଆସୁଛି ଯେଉଁଥି ପାଇଁ ଆଜିର ଦିନରେ ପାଳନ କରାଯାଏ ବିଶ୍ୱ ରସଗୋଲା ଦିବସ ।
ବିଶ୍ୱାସ ରହିଛି ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ନେଇ ରଥାଯାତ୍ରାରେ ମା’ଲକ୍ଷ୍ମୀଙ୍କୁ ନଇଥିବାରୁ ବଡଠାକୁରଙ୍କ ଉପରେ ଅଭିମାନ କରିଥାନ୍ତି ମା’ଲକ୍ଷ୍ମୀ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ମନ୍ଦିର ଭିତରକୁ ବାରଣ ନାହିଁ । ହେଲେ କାଳିଆସାଆନ୍ତଙ୍କ ପାଇଁ ବାଟ ବନ୍ଦ କରିଦେଇଥାନ୍ତି ମା’ଲକ୍ଷ୍ମୀ ଠାକୁରାଣୀ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିଲା ପରେ ମନ୍ଦିର ଭିତରକୁ ପ୍ରବେଶ ମିଳିବଥାଏ ।
ତେବେ ରସଗୋଲାକୁ ନେଇ ଓଡି଼ଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଲାଗିଥିଲା । ହେଲେ ଓଡ଼ିଶାରେ ଦ୍ୱାଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ରସଗୋଲା ଭୋଗ ଲାଗି ହୋଇଆସୁଛି । 2016 ଜୁଲାଇ 17ରୁ ରସଗୋଲା ଦିବସ ପାଳନ କରାଯାଉଛି ।
୧୮୬୮ ମସହାରେ କଲିକତାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ‘ରସଗୁଲ୍ଲା’ ତିଆରି କରିଥିଲେ ବେଲି ଯୁକ୍ତି କରିଥିଲା ପଶ୍ଚିମବଙ୍ଗ । ତେବେ ୨୦୦୯ ମସିହା ଜୁଲାଇ ୨୯ ତାରିଖରେ ଓଡିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିଲା ।
ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ‘ନୀଳାଦ୍ରିବିଜେ’ । ଶ୍ରୀଗୁଣ୍ଡିଚା ମନ୍ଦିରରେ ରହଣି ପରେ ବାହୁଡା ଦଶମୀ ଦିନ ଠାକୁରମନେ ଶ୍ରୀମନ୍ଦିର ସିଂହଦ୍ୱାରକୁ ଫେରନ୍ତି । ସୁନାବେଶ ଓ ଅଧରପଣା ପରେ ଚତୁର୍ଦ୍ଧାମୂରତି ରତ୍ନସିଂହାସନକୁ ଫେରନ୍ତି । ଏହାକୁ ‘ନୀଳାଦ୍ରି ବିଜୟ’ ବା ‘ନୀଳାଦ୍ରିିବିଜେ’ କୁହାଯାଏ । ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରାରେ ବଡ଼ ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ଜନ୍ମବେଦି ଅଭିମୁଖେ ଯାଇଥିଲେ ହେଁ ମହାଲକ୍ଷ୍ମୀଙ୍କୁ ସାଥିରେ ନନେବାରୁ ମା’ ଲକ୍ଷ୍ମୀ ଅଭିମାନ କରିଥିଲେ। ଏହି ଅଭିମାନକୁ ଭଞ୍ଜନ କରିବା ପାଇଁ ପାଟ ଶାଢି ସହ ରସଗୋଲା ଦେଇ ମାନଭଞ୍ଜନ କରନ୍ତି । ଏହାପରେ ମହାପ୍ରଭୁ ବଡ ଦେଉଲ ଭିତରକୁ ପ୍ରବେଶ କରିବାର ବିଧି ରହିଛି ।