ମ୍ୟାଲେରିଆ ରୋକିବ ମାଛ । ମଶା ବଂଶକୁ ନିପାତ କରିବ ଗମ୍ବୁସିଆ
ରାୟଗଡ଼ା:(କାଞ୍ଚନଟିଭି) ମ୍ୟାଲେରିଆ ଏଭଳୀ ଏକ ରୋଗ ଯାହାଦ୍ଵାରା ଏବେ ମଧ୍ୟ ପ୍ରତି ବର୍ଷ ଅନେକ ଲୋକ ପ୍ରାଣ ହରାଇଥାଆନ୍ତି। ବର୍ଷା ଆରମ୍ଭ ହେବା ସହିତ ମ୍ୟାଲେରିଆ ଏବଂ ମଶା ଦ୍ଵାରା ହେଉଥିବା ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ବଢ଼ି ଯାଇଥାଏ। ଏଭଳି ପରିସ୍ଥତିରେ ଲୋକଙ୍କୁ ଏହି ରୋଗ ତଥା ଏଥିରୁ ରକ୍ଷା ପାଇବା ପାଇଁ ସଜାଗ କରିବା ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥାଆନ୍ତି। ମାଲେରିଆ ରୋକିବ ମାଛ । ମଶା ବଂଶକୁ ନିପାତ କରିବ ଗମ୍ବୁସିଆ ମାଛ । ଡ୍ରେନ ପାଣିରେ ବଢୁଥିବା ମଶା ତଥା ମଶାର ଲାର୍ଭାକୁ ଖାଇ ଏମାନଙ୍କ ବଂଶକୁ ସମ୍ପୂର୍ଣ୍ଣ ନିପାତ କରିବ । ଏଥିପାଇଁ ଡ୍ରେନରେ ଛଡ଼ାଯାଇଛି ହଜାର ସଂଖ୍ୟାରେ ଗମ୍ବୁସିଆ ମାଛ । ମଶାକୁ ରୋକିବା ପାଇଁ ଏପରି ଅଭିନବ ପଦକ୍ଷେପ ନେଇଛି ରାୟଗଡ଼ା ପୌରସଂସ୍ଥା । ସହରର ବିଭିନ୍ନ ପାଣି ଜମୁଥିବା ସ୍ଥାନ ତଥା ଡ୍ରେନ ମାନଙ୍କରେ ଏହି ମାଛକୁ ଛଡ଼ା ଯାଇଛି । ଏହାସହ ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।ବର୍ଷା ଋତୁ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ପାଣି ଜମି ରହିବ । ପାଣି ଜମୁଥିବା ସ୍ଥାନରେ ମଶା ବଂଶ ବୃଦ୍ଧି ପାଇବ । ଏଥିଯୋଗୁଁ ଲୋକଙ୍କ ନିକଟରେ ମାଲେରିଆ, ଢେଙ୍ଗୁ ଭଳି ରୋଗ ଦେଖାଦେବ । ମଶାରୀର ବ୍ୟବହାର ତଥା ମଶା ବଂଶକୁ ନିପାତ କରି ଏହି ରୋଗରୁ ମୁକ୍ତି ମିଳିପାରେ । ମଶାବଂଶ ନିପାତ କରିବା ପାଇଁ ପୂର୍ବରୁ ପ୍ରଶାସନ କାନ୍ଥ ବାଡ଼ରେ ଡିଡିଟି ସିଞ୍ଚନ କରୁଥିଲା । ଏହାସହ ଡ୍ରେନରେ କେମିକାଲ ଢଲାଯାଇ ମଶାକୁ ରୋକୁଥିଲା । ଏହାର ପ୍ରତିକୁଳ ପ୍ରଭାବ ପରିବେଶ ଉପରେ ପଡ଼ୁଥିଲା । ଏହି ଉପାୟ ହୁଏତ ସେତେଟା ଫଳପ୍ରଦ ହୋଇପାରି ନାହିଁ । ଏବେ ପ୍ରଶାସନ ମଶାକୁ ରୋକିବା ପାଇଁ ଭିନ୍ନ ଉପାୟ ଆପଣେଇଛି । ମଶା ବଂଶ ନିପାତ କରିବ ମାଛ । ମଶା ତଥା ମଶାର ଲାର୍ଭା ଖାଇବା ପାଇଁ ଡ୍ରେନ ତଥା ପାଣି ଜମୁଥିବା ସ୍ଥାନରେ ମାଛ ଛାଡ଼ିଛି ରାୟଗଡ଼ା ପ୍ରଶାସନ । ଯିଏ ମାଲେରିଆ ରୋଗକୁ ରୋକିବା ପାଇଁ ବହୁ ମାତ୍ରାରେ ସାହାଯ୍ୟ କରିବ ।ଜାତୀୟ ସ୍ବାସ୍ଥ୍ୟ ମିଶନ ଜରିଆରେ ଗମ୍ବୁସିଆ ମାଛକୁ ଭୁବନେଶ୍ବରରୁ ଅଣାଯାଇ କୁଣ୍ଡରେ ରଖାଯାଇଛି । ମାଛ ମାନଙ୍କୁ ଖାଦ୍ୟ ଦେବାସହ ଯତ୍ନ ନିଆଯାଉଛି । ଏହାସହ ଏମାନଙ୍କ ବଂଶ ବୃଦ୍ଧି କରାଯାଉଛି । ଏମାନଙ୍କ ଆକାରରେ ସାମାନ୍ୟ ବୃଦ୍ଧି ହେବାପରେ ଜମାଟ ବାନ୍ଧିଥିବା ନାଳ ତଥା ପରିତ୍ୟକ୍ତ ସ୍ଥାନ ମାନଙ୍କରେ ଛଡ଼ାଯାଉଛି । ପ୍ରାଥମିକ ସ୍ତରରେ ସହରର ଏପରି ୨୫ଟି ସ୍ଥାନ ଚିହ୍ନଟ କରାଯାଇଛି ଯେଉଁଠି ଏହି ମାଛ ମାନଙ୍କୁ ଛଡ଼ାଯିବ । ପ୍ରତ୍ୟେକ ୮ ଦିନ ବ୍ୟବଧାନରେ ଏହି ମାଛ ମାନଙ୍କୁ ଛଡ଼ାଯିବ । ଫଳରେ ଏମାନେ ମଶାକୁ ରୋକିବାରେ ବହୁ ମାତ୍ରାରେ ସହାୟକ ହେବେ ।