ମୁଖ୍ୟମନ୍ତ୍ରୀ ପଦ ନେଇ ୫ ଦିନ ଧରି ଲାଗି ରହିଥିବା ସସ୍ପେନ୍ସ ଦୂର ହୋଇଛି ।

ମୁଖ୍ୟମନ୍ତ୍ରୀ ପଦ ନେଇ ୫ ଦିନ ଧରି ଲାଗି ରହିଥିବା ସସ୍ପେନ୍ସ ଦୂର ହୋଇଛି ।

ବେଙ୍ଗାଲୁରୁ:(କାଞ୍ଚନଟିଭି ବ୍ୟୁରୋ) କର୍ଣ୍ଣାଟକରେ ସିଦ୍ଧରମୈୟା (ସିଦ୍ଦୁ) ହେବେ ମୁଖ୍ୟମନ୍ତ୍ରୀ । ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ । ମୁଖ୍ୟମନ୍ତ୍ରୀ ପଦ ନେଇ ୫ ଦିନ ଧରି ଲାଗି ରହିଥିବା ସସ୍ପେନ୍ସ ଦୂର ହୋଇଛି । ସୋନିଆ ଗାନ୍ଧିଙ୍କ ହସ୍ତକ୍ଷେପ ପରେ ଡି କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ରାଜି ହୋଇଛନ୍ତି । ବୁଧବାର-ଗୁରୁବାର ରାତି ୨ଟା ବେଳେ ସୋନିଆ ଭିଡିଓ କନ୍ଫରେନ୍ସିଂ ଜରିଆରେ ଡିକେଙ୍କ ସହ କଥା ହୋଇଥିଲେ । ଏହାର ୧୦ ଘଣ୍ଟା ପରେ, ଗୁରୁବାର ମଧ୍ୟାହ୍ନରେ କେ ସି ବେଣୁଗୋପାଳ ସାମ୍ବାଦିକ ସମ୍ମିଳନୀ ଡାକି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ ।
୫୦-୫୦ ଫର୍ମୁଲା ଅନୁଯାୟୀ, ପ୍ରଥମ ଅଢ଼େଇ ବର୍ଷ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦରେ ରହିବେ । ମୁଖ୍ୟମନ୍ତ୍ରୀ ଥିବାଯାଏ ସିଦ୍ଧରମୈୟା ଶିବକୁମାରଙ୍କ ସମ୍ମତି ବିନା କୌଣସି ନିିଷ୍ପତ୍ତି ସ୍ୱାଧୀନ ଭାବେ ନେଇ ପାରିବେ ନାହିଁ । ପରବର୍ତ୍ତୀ ଅଢ଼େଇ ବର୍ଷ ଡିକେ ହେବେ ମୁଖ୍ୟମନ୍ତ୍ରୀ । ଅର୍ଥାତ୍ ଲୋକସଭା ନିର୍ବାଚନ ପରେ ୨୦୨୫ରେ ଡିକେ ମୁଖ୍ୟମନ୍ତ୍ରୀ କରାଯିବ ।ସେ ପର୍ଯ୍ୟନ୍ତ ଡିକେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବେ । ୨୦୨୫ ପରେ ପିସିସି ଅଧ୍ୟକ୍ଷ କିଏ ହେବେ ସ୍ଥିର କରାଯାଇନାହିଁ ।
ଗୁରୁବାର ସକାଳେ ଶିବକୁମାର କହିଥିଲେ,‘ମୁଁ ଦଳର ଫର୍ମୁଲାରେ ରାଜି । ଆଗକୁ ଲୋକସଭା ନିର୍ବାଚନ ଅଛି । ସେଥିପାଇଁ ଦାୟିତ୍ୱ ନେବାକୁ ମୁଁ ପ୍ରସ୍ତୁତ । ଦଳର ସ୍ୱାର୍ଥପ୍ରତି ଧ୍ୟାନ ଦେଇ ଉପମୁଖ୍ୟମନ୍ତ୍ରୀ ହେବା ଲାଗି ସମ୍ମତି ଦେଇଛି ।’ କିନ୍ତୁ ଏଥିରେ ଡିକେଙ୍କ ଭାଇ ତଥା କର୍ଣ୍ଣାଟକର ସାଂସଦ ଡିକେ ସୁରେଶ ଖୁସି ନୁହନ୍ତି । ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ହାଇକମାଣ୍ଡ ପ୍ରଥମରୁହିଁ ସିଦ୍ଧ ରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ସ୍ଥିର କରିସାରିଥିଲେ । ଏନେଇ ଶିବକୁମାରଙ୍କୁ ମନେଇବା ପାଇଁ ରାହୁଲ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବାରମ୍ବାର ତାଙ୍କ ସହ ଆଲୋଚନା କରିଥିଲେ । ତାସତ୍ତ୍ୱେ ଶିବକୁମାର ରାଜି ନ ହେବାରୁ ସୋନିଆଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।
ଗୁରୁବାର ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ (ସିଏଲ୍ପି) ବୈଠକ ଡକାଯାଇଛି । ଇତିମଧ୍ୟରେ ସିଦ୍ଧରମୈୟା ଓ ଶିବକୁମାର ଦିଲ୍ଲୀରୁ ବେଙ୍ଗାଲୁରୁ ଫେରି ଆସି ସିଏଲ୍ପି ବୈଠକରେ ଯୋଗ ଦେଇଛନ୍ତି । ଆସନ୍ତା ୨୦ ତାରିଖ ଅପରାହ୍ନ ସାଢ଼େ ୧୨ଟା ବେଳେ ଶପଥ ଗ୍ରହଣ ସମାରୋହ ହେବ । ସେଥିରେ ଯୋଗ ଦେବା ପାଇଁ ଓଡ଼ିଶା ସମେତ ସମସ୍ତ ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଏନ୍ସିପି ନେତା ଶରଦ ପାୱାର, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ନାସନାଲ କନ୍ଫରରେନ୍ସ ନେତା ଫାରୁକ୍ ଅବ୍ଦୁଲାଙ୍କୁ ଆମନ୍ତ୍ରଣ କରାଯାଇଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!