ମୁଣ୍ଡ ବିନ୍ଧାର କାରଣ ସାଜିଛି ଗ୍ୟାଷ୍ଟ୍ରିକ ସମସ୍ୟା
କାଞ୍ଚନ ଟିଭି: ବର୍ତ୍ତମାନ ସମୟରେ ଗ୍ୟାଷ୍ଟ୍ରିକ ସମସ୍ୟା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ । ଏଥିପାଇଁ ଅନେକ ନିୟମିତ ଔଷଧର ସେବନ ମଧ୍ୟ କରି ଥାଆନ୍ତି। ତେବେ ଏହି ସମସ୍ୟା ଲାଗି ରହୁଥିଲେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଅଧିକାଂଶ ଲୋକଙ୍କୁ ପପକର୍ଣ୍ଣ ଖାଇବା ବେଶ ପସନ୍ଦ। ବାହାରେ ବୁଲାବୁଲି କରିବା ସମୟରେ ହେଉ କିମ୍ବା ଫିଲ୍ମ ଦେଖିବା ସମୟରେ ସଭିଏଁ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ମାତ୍ର ଯେଉଁ ମାନଙ୍କର ଗ୍ୟାଷ୍ଟ୍ରିକ୍ ସମସ୍ୟା ରହିଛି,ସେମାନେ ପପକର୍ଣ୍ଣ ଅଧିକ ଖାଇବା ଉଚିତ୍ ନୁହେଁ। ମାସକୁ ଥରେ ଖାଇ ପାରିବେ। ମାତ୍ର ଖାଇବା ସମୟରେ ଏଥିରେ ଅଳ୍ପ ପରିମାଣରେ ଜିରା ଗୁଣ୍ଡ କିମ୍ବା କଳାଲୁଣ ମିଶାଇ ଖାଆନ୍ତୁ। ସାଲାଡ୍ ଏକ ସ୍ୱାସ୍ଥ୍ୟକର ଖାଦ୍ୟ। ମାତ୍ର ଅନେକ ସମୟରେ ସାଲାଡ୍ ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ। ଏହା ଗ୍ୟାଷ୍ଟ୍ରିକ୍ର କାରଣ ପାଲଟିଥାଏ। ଏହାକୁ ସିଧାସଳଖ କଞ୍ଚା ନଖାଇ ଅଳ୍ପ ବାମ୍ଫ କିମ୍ବା ହାଲକା ଭାବେ ଉଷୁମ କରନ୍ତୁ। ଏହା ସହଜରେ ହଜମ ହୋଇଥାଏ। ଗ୍ୟାଷ୍ଟ୍ରିକ୍ ସୃଷ୍ଟି କରି ନଥାଏ। ଚୁଇଙ୍ଗମ କେତେକଙ୍କୁ ଖାଇବା ଖୁବ ପସନ୍ଦ। ମାତ୍ର ଏହା ଖାଇବାକୁ ନରମ ହେଲେ ମଧ୍ୟ ଗ୍ୟାଷ୍ଟ୍ରିକ୍ ସୃଷ୍ଟି କରିଥାଏ। ଚୁଇଙ୍ଗମ ଖାଇବା ପରେ ମୁଣ୍ଡ ବିନ୍ଧା ସମସ୍ୟା ହୋଇଥାଏ। ଚୁଇଙ୍ଗମ ଖାଇବା ସମୟରେ ଅଧିକ ପବନ ପାଟି ଦ୍ୱାରା ପେଟ ଭିତରକୁ ଯାଇଥାଏ। ଏହା ପାଚନ ତନ୍ତ୍ର ମଧ୍ୟକୁ ପ୍ରବେଶ କରିଥାଏ। ଫଳରେ ଗ୍ୟାଷ୍ଟ୍ରିକ ସମସ୍ୟା ହୋଇଥାଏ। ଚୁଇଙ୍ଗମ ବଦଳରେ ଗୁଜୁରାତି ଖାଇ ପାରିବେ। ଯେଉଁମାନଙ୍କର ହଜମ ଓ ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ରହିଛି ସେମାନେ କଞ୍ଚା ପିଆଜ ଖୁବ ମାତ୍ରାରେ ସେବନ କରିବା ଉଚିତ। ନଚେତ୍ ଏହା ଗ୍ୟାଷ୍ଟ୍ରିକ ସମସ୍ୟାକୁ ବୃଦ୍ଧି କରିଥାଏ। ଯେଉଁମାନଙ୍କର ଗ୍ୟାଷ୍ଟ୍ରିକ ସମସ୍ୟା ରହିଛି, ସେମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସଠିକ୍ ସମୟରେ ସେଓ ଓ ଅନ୍ୟାନ୍ୟ ଫଳ ସେବନ କରି ପାରିବେ।