ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ବିଧାନସଭା ବାଚସ୍ପତି ପ୍ରାର୍ଥୀ
ଭୁବନେଶ୍ୱର:(ବ୍ୟୁରୋ ରିପୋର୍ଟ) ବିଜେଡିର ବରିଷ୍ଠ ମହିଳା ନେତ୍ରୀ ତଥା ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରାର୍ଥୀ। ଏ ନେଇ ବୁଧବାର ଦିନ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି। ସେ ଗୁରୁବାର ଦିନ ବାଚସ୍ପତି ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ କରିବେ। ସମଗ୍ର ଦେଶରେ ମହିଳା ବିଲକୁ ନେଇ ବିତର୍କ ଚାଲିଥିବାବେଳେ ଜଣେ ମହିଳାଙ୍କୁ ବାଚସ୍ପତି ପ୍ରାର୍ଥୀ କରି ଚର୍ଚ୍ଚାର ପରିସରକୁ ଆସିଛି ବିଜେଡି। ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନ ପୂର୍ବରୁ ସକାଳ ୯ଟା ୩୦ରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ଦିନ ପ୍ରମିଳା ମଲ୍ଲିକ ବାଚସ୍ପତି ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ। ପ୍ରମିଳା ମଲ୍ଲିକ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ଦଳର ମୁଖ୍ୟ ନବୀନ ପଟ୍ଟନାୟକ ମୋ ଉପରେ ଭରସା କରି ଯେଉଁ ଗୁରୁଦାୟିତ୍ଵ ଦେଇଛନ୍ତି ତାକୁ ମୁଁ ସୁଚାରୁ ରୂପେ ତୁଲାଇବି। ଯଦି ମୁଁ ବାଚସ୍ପତି ଭାବେ ନିର୍ବାଚିତ ହୁଏ, ସବୁ ଦଳଙ୍କୁ ନେଇ ନିରପେକ୍ଷ ଭାବେ ବିଧାନସଭାକୁ ଚଲେଇବି।” ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦବୀରୁ ଇସ୍ତଫା ଦେବା ପରେ ଏହି ପଦବୀଟି ଖାଲିପଡ଼ିଛି। ଦୀର୍ଘ ଦିନରୁ ଖାଲିପଡ଼ିଥିବା ଏହି ପଦବୀ ପାଇଁ ନିର୍ବାଚନ ହେବ। ଯଦି ପ୍ରମିଳା ମଲ୍ଲିକ ନିର୍ବାଚିତ ହୁଅନ୍ତି, ସେ ହେବେ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି।