ରାଜ୍ୟରେ ହାତୀମାନଙ୍କ ପାଇଁ ନାହିଁ କି ଅନୁକୂଳ ପରିବେଶ
ରାଉରକେଲା:(ବ୍ୟୁରୋ ରିପୋର୍ଟ୍) ରାଜ୍ୟରେ ହାତୀଙ୍କ ସୁରକ୍ଷା ଚିନ୍ତା ଏବେ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ରାଜ୍ୟରେ ହାତୀମାନଙ୍କ ପାଇଁ ନାହିଁ କି ଅନୁକୂଳ ପରିବେଶ? କେତେବେଳେ ଶିକାରୀ ଓ ଚାଷୀଙ୍କ ସଂଘବଦ୍ଧ ଆକ୍ରମଣ ହେଉ ବା ଟ୍ରେନ୍ ଧକ୍କା ତ ପୁଣି କେତେବେଳେ ବିଦ୍ୟୁତ୍ ଆଘାତରେ ହାତୀଙ୍କ ମୃତ୍ୟୁ ହେଉଛି। ଏହା ସତ୍ବେ ବନ ବିଭାଗ କର୍ତ୍ତୃପକ୍ଷ ପକ୍ଷରୁ ଯେତିକି ତତ୍ପରତା ପ୍ରକାଶ ପାଇବା କଥା, ତା’ ଦେଖା ଯାଉନି। ହାତୀଙ୍କ ସୁରକ୍ଷା ବାବଦରେ ସରକାର ପ୍ରତିବର୍ଷ ଅନେକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ସତ୍ବେ ହାତୀଙ୍କ ମୃତ୍ୟୁକୁ ରୋକାଯାଇ ପାରୁନି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଣାଇଁ, ରାଉରକେଲା ଓ ସୁନ୍ଦରଗଡ଼ ବନଖଣ୍ଡରେ ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କାରଣ ବର୍ଷ ତମାମ ଜାରି ରହୁଛି ହାତୀ-ମଣିଷ ଲଢ଼େଇ। ଖାଦ୍ୟ ଅନ୍ବେଷଣରେ ଗାଁ ଓ ସହର ମୁହାଁ ହାତୀପଲଙ୍କ ଆକ୍ରମଣ ଲୋକଙ୍କ ଜୀବନ ଯାଉଛି। ଚାଷୀ ଓ ଗାଁ ଲୋକଙ୍କ ବର୍ଚ୍ଛା, ନିଆଁ ଚେଙ୍କରେ ହାତୀର ମୃତ୍ୟୁ ହେଉଛି। ଏସବୁ କାରଣରୁ ଗତ ୫ ବର୍ଷ ଅର୍ଥାତ୍ ୨୦୧୮ରୁ ୨୦୨୨ ମଧ୍ୟରେ ସୁନ୍ଦରଗଡ଼ରେ ମୋଟ ୨୬ ହାତୀଙ୍କ ମୃତ୍ୟୁ ହୋଇଛି। ରାଉରକେଲା ବନଖଣ୍ଡରେ ୧୦, ବଣାଇଁ ବନଖଣ୍ଡରେ ୧୪ ଓ ସୁନ୍ଦରଗଡ଼ ବନଖଣ୍ଡରେ ୨ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେମିତି ହାତୀଙ୍କ ଆକ୍ରମଣରେ ୭୩ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ରାଉରକେଲା ବନଖଣ୍ଡରେ ସର୍ବାଧିକ ୪୦ ଜଣ, ବଣାଇ ବନଖଣ୍ଡରେ ୧୯, ସୁନ୍ଦରଗଡ଼ ବନଖଣ୍ଡରେ ୧୪ ଜଣଙ୍କର ଜୀବନ ଯାଇଛି। ଘଟଣା ଘଟିବା ବିଭାଗ ବେଶ୍ ତତ୍ପର ହେଉଛି। କେବଳ ତଦନ୍ତ କରି କାମ ସାରି ଦେଉଛନ୍ତି। ହାତୀଙ୍କ ମୃତ୍ୟୁକୁ କିପରି ରୋକାଯାଇପାରି, ଆଜି ପର୍ଯ୍ୟନ୍ତ ସେମିତି କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। ସୁନ୍ଦରଗଡ଼, ବଣାଇ ଓ ରାଉରକେଲା ବନଖଣ୍ଡରେ ଅବାଧ ଜଙ୍ଗଲ କଟା, ଜଙ୍ଗଲରେ ଖୋଳାଯାଇଥିବା ପୋଖରୀରେ ପର୍ଯ୍ୟାପ୍ତ ପାଣି ନ ରହିବା, ବେଆଇନ ବ୍ଲାଷ୍ଟିଂ ଓ ଠିକ୍ ଖାଦ୍ୟ ମିଳୁ ନଥିବାରୁ ହାତୀପଲ ବାରମ୍ବାର ସହର ଓ ଗାଁ ମୁହାଁ ହେଉଛନ୍ତି।
ଖଣି ଖାଦାନ ଭରା ବଣାଇ ବନଖଣ୍ଡରେ ସ୍ଥିତି ଆହୁରି ଉଦ୍ବେଗଜନକ। ଏଠାରେ ଅବାଧ ଖଣି ଖନନ, ଗଛ କଟାରୁ ହାତୀପଲ ସର୍ବଦା ନିଜର ସୁରକ୍ଷିତ ଠିକଣା ଖୋଜୁଛନ୍ତି। ଅନେକ ସମୟରେ ହାତୀପଲ ଏକର ଏକର ଫସଲ ଦଳିଚକଟି ନଷ୍ଟ କରିବାରୁ ମଣିଷ-ହାତୀପଲଙ୍କ ମଧ୍ୟରେ ଲଢ଼େଇ ଲାଗି ରହୁଛି। ହାତୀ ହାବୁଡରେ ପଡି ନିରୀହ ଚାଷୀ ଓ ଲୋକଙ୍କର ଜୀବନ ଯାଉଛି। ସେପଟେ ହାତୀ ଗତିପଥକୁ ରୋକିବାକୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ସ୍ଥାନରେ ସୋଲାର ଫେସିଂ ସହ ଟ୍ରେଞ୍ଚ ମଧ୍ୟ ଖୋଳାଯାଇଛି। ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଅଧିକାଂଶ ସ୍ଥାନରେ ସୋଲାର ଫେସିଂ ଓ ଟ୍ରେଞ୍ଚ କାମରେ ଆସୁନି। କେବଳ ଏତିକି ନୁହେଁ ରେଳ ଓ ବିଜୁଳି ବିଭାଗ ସହ ବନ ବିଭାଗର ଉପଯୁକ୍ତ ସମନ୍ବୟ ଅଭାବରୁ ହାତୀଙ୍କ ଚଲାପଥ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି। ଗତ ୨୦୨୧ରେ ଫେବ୍ରୁଆରି ୪ରେ ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବିଶ୍ରା ରେଞ୍ଜ ମହିପାଣି ଭାଲୁଲତା ଷ୍ଟେସନ ମୁମ୍ବାଇ-ହାୱଡା ରେଳ ଲାଇନ ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଛିଡା କରିଥିଲା। ଏହା ପରେ ବେଶ୍ ସଜାଗ ହୋଇଥିଲା ବିଭାଗ। ହାତୀଙ୍କ ଚଲାପଥ କିପରି ସୁରକ୍ଷିତ ରହିବ, ତାକୁ ନେଇ ରେଳବିଭାଗ, ସୀମାନ୍ତ ଝାଡ଼ଖଣ୍ଡ ବନ ବିଭାଗ ଓ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ହାତୀଙ୍କ ସୁରକ୍ଷାକୁ ନେଇ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଥିଲା
ଏବେ ଫାଇଲ୍ ତଳେ ଚାପି ହୋଇ ରହିଯାଇଛି। ଗତ ୨୦୨୨ ସେପ୍ଟେମ୍ବର ୧୦ରେ ରାଉରକେଲା ବନଖଣ୍ଡ ବାଙ୍କି ରେଞ୍ଜରେ ଚାଷୀ ଓ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ରାଜଗାଙ୍ଗପୁର ରେଞ୍ଜରେ ବିଦ୍ୟୁତ୍ ଆଘାତରେ ମାଈ ହାତୀର ମୃତ୍ୟୁ ହୋଇଥିଲା। କେବଳ ୨/୩ଟି ଘଟଣା ନୁହେଁ ବିଗତ ଦିନରେ ଏମିତି ଅନେକ କାରଣରୁ ମାଈ, ଅଣ୍ଡିରା ଓ ଛୁଆ ହାତୀର ମୃତ୍ୟୁ ହୋଇଛି। ଯେ ପର୍ଯ୍ୟନ୍ତ ହାତୀଙ୍କ ସୁରକ୍ଷା ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ପାଣ୍ଠିର ସଠିକ୍ ବିନିଯୋଗ ନ ହୋଇଛି, ସେ ପର୍ଯ୍ୟନ୍ତ ଏମିତି ହାତୀ-ମଣିଷ ଲଢ଼େଇ ଜାରି ରହିଥିବ। ଉଭୟ ହାତୀ ଓ ମଣିଷ ମୃତ୍ୟୁ ହେଉଥିବ। ଉଳ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ରାଉରକେଲା, ବଣାଇ ଓ ସୁନ୍ଦରଗଡ଼ ତିନିଟି ବନଖଣ୍ଡ ରହିଛି। ରାଉରକେଲା ବନଖଣ୍ଡରେ ଗତ ୫ ବର୍ଷ ମଧ୍ୟରେ ୧୦ ହାତୀଙ୍କ ମୃତ୍ୟୁ ଟ୍ରେନ୍ ଧକ୍କା, ବର୍ଚ୍ଛା ଆକ୍ରମଣ, ବିଦ୍ୟୁତ୍ ଆଘାତ ଓ ଦୁର୍ଘଟଣା ହୋଇଛି। ବଣାଇ ବନଖଣ୍ଡ ଅନ୍ତର୍ଗତ ଜର୍ଡା ରେଞ୍ଜରେ ସର୍ବାଧିକ ୬, କୋଇଡା ରେଞ୍ଜରେ ୨, ବରସୁଆଁ ରେଞ୍ଜରେ ୨, ସୋଲ୍, ବଣାଇ ଓ ଟାମଡ଼ା ରେଞ୍ଜରେ ଗୋଟିଏ ଲେଖାଏଁ ହାତୀଙ୍କର ମୃତ୍ୟୁ ହୋଇଛି। ସେଫ୍ଟିସେମିଆ, ଆନ୍ଥ୍ରାକ୍ସ, ବିଦ୍ୟୁତ୍ ଆଘାତ, ଅଜଣା ରୋଗରେ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼ ବନଖଣ୍ଡର ହେମଗିରି ରେଞ୍ଜରେ ଗତ ୫ ବର୍ଷ ମଧ୍ୟରେ ମାତ୍ର ଗୋଟିଏ ଛୁଆ ସହ ଦୁଇଟି ହାତୀର ମୃତ୍ୟୁ ହୋଇଛି।