ରୋବୋଟ କଲା ଅପରେସନ

ରୋବୋଟ କଲା ଅପରେସନ

ଭୁବନେଶ୍ୱର:(କାଞ୍ଚନଟିଭି) ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ ଅଳ୍ପ ଦିନ ମଧ୍ୟରେ ରୋଗୀ ସୁସ୍ଥ ହେଉଛନ୍ତି । ପାରମ୍ପରିକ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଓ ରୋବୋଟ ସହାୟତାର ପ୍ରକ୍ରିୟା ସମାନ ଅଟେ । ପ୍ରତ୍ୟାରୋପଣରେ ଆଣ୍ଠୁରେ ନଷ୍ଟ ହୋଇଯାଇଥିବା ତନ୍ତୁଗୁଡ଼ିକୁ ବାହାର କରାଯାଇ କୃତ୍ରିମ ଗଣ୍ଠି ଯୋଡା ଯାଇଥାଏ । ତେବେ ରୋବୋଟିକ ଆର୍ମ ସହାୟତାରେ ହେଉଥିବା ଅସ୍ତ୍ରୋପଚାରକୁ ସଫ୍ଟୱେୟାର ଏବଂ ସର୍ଜନ ନିୟନ୍ତ୍ରଣ କରିଥାନ୍ତି ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଅନିରୁଦ୍ଧ ଦାଶ ସୂଚନା ଦେଇଛନ୍ତି ।

ଜଟିଳ ସମସ୍ୟା ଥିବା କ୍ଷେତ୍ରରେ ରୋବୋଟ ସହାୟତାରେ କରାଯାଉଥିବା ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଦ୍ୱାରା ଆଣ୍ଠୁ ଚତୁଃପାଶ୍ୱର୍ରେ ଥିବା କୋମଳ ତନ୍ତୁଗୁଡ଼ିକର ପ୍ରତ୍ୟାରୋପଣ ଓ ଗଣ୍ଠିର ଉତମ ସଜ୍ଜିକରଣ ହୋଇପାରିଥାଏ ବୋଲି ସେ କହିଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ମେଡିକାଲ୍ କଲେଜ ହସ୍ପିଟାଲ୍ (ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌)ରେ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଉଥିବା ବେଳେ ଭବିଷ୍ୟତରେ ଏହି ଉପାୟ ଅବଲମ୍ବନ କରାଯିବ ବୋଲି ପ୍ରଫେସର ଦାଶ କହିଛନ୍ତି । ଚିରାଚରିତ ଢ଼ଙ୍ଗରେ କରାଯାଉଥିବା ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଓ ରୋବୋଟ ସହାୟତାରେ କରାଯାଉଥିବା ଅସ୍ତ୍ରୋପଚାର ମଧ୍ୟରେ କିଛି ଫରକ ନାହିଁ । ତେଣୁ ରୋବୋଟ ସହାୟତାରେ ଅସ୍ତ୍ରୋପଚାର ନିମନ୍ତେ ପ୍ରସ୍ତୁତ ହେଉଥିବା ରୋଗୀଙ୍କୁ ଅଲଗା ଭାବେ ପ୍ରସ୍ତୁତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ତେବେ କେଉଁମାନେ ରୋବୋଟିକ୍ ଆଣ୍ଠୁ ପ୍ରତ୍ୟାରୋପଣ କରିପାରିବେ ସେ ନେଇ ପ୍ରଫେସର ଦାଶ କହିଛନ୍ତି ଯେ ସାଧାରଣ ଭାବେ ଆଣ୍ଠୁ ପ୍ରତ୍ୟାରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତି ମଧ୍ୟ ରୋବୋଟ ସହାୟତାରେ ଏହା କରାଇପାରିବେ । ଆଣ୍ଠୁ ଗଣ୍ଠିରେ ସମସ୍ୟା ଥିବା ଏବଂ କୌଣସି ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଖୁବ୍ ଲାଭଦାୟକ ବୋଲି ସେ କହିଛନ୍ତି । ଏହାଛଡ଼ା ଏହି କ୍ଷେତ୍ରରେ ରୋବୋଟିକ ଅସ୍ତ୍ରୋପଚାର ସାଧାରଣ ଅସ୍ତ୍ରୋପଚାର ଅପେକ୍ଷା ଉତମ ଫଳ ଦେଇଥାଏ କାରଣ ଏହାକୁ ପୂର୍ବରୁ ପରିକଳ୍ପନା କରାଯାଇ ନିର୍ଭୁଲ ଭାବେ କରାଯାଇପାରେ ।ସ୍ୱତନ୍ତ୍ର ଥ୍ରୀଡି ଇମେଜ ନିଆଯାଇ ରୋବୋଟିକ୍ ଅସ୍ତ୍ରୋପଚାର କରାଯାଇଥାଏ । ଏହି ଇମେଜଗୁଡ଼ିକ ସର୍ଜନଙ୍କୁ ଉପଯୁକ୍ତ ଭାବେ ପ୍ରତ୍ୟାରୋପଣରେ ସହାୟକ ହୋଇଥାଏ ।ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ସର୍ଜନମାନେ ପ୍ରତ୍ୟାରୋପଣ ନେଇ ଅଧିକ ଦକ୍ଷ ହୋଇପାରନ୍ତି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!