ରୋମାଞ୍ଚକ ଫାଇନାଲ୍
ମୁମ୍ବାଇ: ମହିଳା ପ୍ରିମିଅର୍ ଲିଗ୍ (ଡବ୍ଲୁ୍ୟପିଏଲ୍) ପ୍ରଥମ ସିଜନ୍ର ଚାମ୍ପିଅନ୍ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ରବିବାର ଖେଳାଯାଇଥିବା ରୋମାଞ୍ଚକ ଫାଇନାଲ୍ ମୁକାବିଲାରେ ମୁମ୍ବାଇ ୭ ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି ।
ମୁମ୍ବାଇ ଟିମ୍ ୧୯.୩ ଓଭର୍ରେ ୩ ୱିକେଟ୍ ହରାଇ ୧୩୪ ରନ୍ କରି ବିଜୟୀ ହୋଇଥିଲା । ଟିମ୍ ପକ୍ଷରୁ ନାଟ୍ ସ୍କିଭର୍-ବ୍ରଣ୍ଟ ୫୫ ବଲ୍ରୁ ସର୍ବାଧିକ ୬୦ ଓ ଆମେଲିଆ କେର୍ ୧୪ ରନ୍ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟିକା ହରମନପ୍ରୀତ ସିଂହ ୩୭, ହେଲୀ ମାଥୁସ୍ ୧୩ ଓ ଯସ୍ତିକା ଭାଟିଆ ୪ ରନ୍ କରିଥିଲେ । ବ୍ରାବର୍ଣ୍ଣ ଷ୍ଟାଡିୟମ୍ରେ ଦିଲ୍ଲୀ ଅଧିନାୟିକା ମେଗ୍ ଲାନିଙ୍ଗ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦିଲ୍ଲୀ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୩୧ ରନ୍ ସଂଗ୍ରହ କରିଥିଲା । ମୁମ୍ବାଇର ଇଜାବେଲ୍ ୱଙ୍ଗ ଓ ହେଲୀ ମାଥୁ୍ୟସ୍ ତିନି ଲେଖାଏଁ ୱିକେଟ୍ ନେଇଥିଲେ । ଆମେଲିଆ କେର୍ଙ୍କୁ ଦୁଇ ୱିକେଟ୍ ମିଳିଥିଲା । ଦିଲ୍ଲୀ ଟିମ୍ ପକ୍ଷରୁ କେବଳ ଲାନିଙ୍ଗ୍ହିଁ କ୍ରିଜ୍ରେ ତିଷ୍ଠି ପାରିଥିଲେ । ସେ ୨୯ ବଲ୍ରୁ ୩୫ ରନ୍ର ଇନିଂସ୍ ଖେଳି ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲେ । ରାଧା ଯାଦବ ଓ ଶିଖା ପାଣ୍ଡେ ୨୭ ରନ୍ ଲେଖାଏଁ କରିଥିଲେ । ଉଭୟ ୧୦ମ ୱିକେଟ୍ ପାଇଁ ୨୪ ବଲ୍ରୁ ଅପରାଜିତ ୫୨ ରନ୍ର ଭାଗୀଦାରୀ କରିଥିଲେ, ଯାହା ଫଳରେ ଇନିଂସ୍ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଥିଲା । ମାରିଅନ କେପ୍ (୧୮) ଓ ଓପନର୍ ଶେଫାଲୀ ବର୍ମା (୧୧)ଙ୍କୁ ଛାଡ଼ିଦେଲେ, ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ଅନ୍ୟ ବ୍ୟାଟର୍ଙ୍କ ମଧ୍ୟରେ ଜେମିମା ରୋଡ୍ରିଗ୍ସ ୯, ଜେସ୍ ଜୋନାସେନ୍ ୨, ମିନ୍ନୁ ମଣି ୧ ରନ୍ କରିଥିବା ବେଳେ ତାନିଆ ଭାଟିଆ ଓ ଅରୁନ୍ଧତି ରେଡ୍ଡୀ ଖାତା ଖୋଲି ପାରି ନ ଥିଲେ ।