ଷ୍ଟିଲ୍ଥ ଗାଇଡେଡ଼୍ ମିସାଇଲ୍ ବିଧ୍ବଂସକ ଯୁଦ୍ଧପୋତ ‘ମୋରମୁଗାଓ’କୁ ଭାରତୀୟ ନୌସେନାକୁ ହସ୍ତାନ୍ତର
ମୁମ୍ବାଇ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ମୁମ୍ବାଇରେ ସ୍ବଦେଶ ନିର୍ମିତ P15B ଷ୍ଟିଲ୍ଥ ଗାଇଡେଡ଼୍ ମିସାଇଲ୍ ବିଧ୍ବଂସକ ଯୁଦ୍ଧପୋତ ‘ମୋରମୁଗାଓ’କୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି। ‘ମୋରମୁଗାଓ’ ସାହାଯ୍ୟରେ ଭାରତୀୟ ନୌସେନାର ଭାରତ ମହାସାଗରରେ କ୍ଷମତା ବୃଦ୍ଧି ପାଇବ ଏବଂ ଦେଶର ସାମୁଦ୍ରିକ ସୀମାର ସୁରକ୍ଷା ଦୃଢ ହେବ।
ଏହି କାର୍ଯ୍ୟକ୍ରମରେ ସିଡିଏସ୍ ଜେନେରାଲ ଅନୀଲ ଚୌହାନ, ନୌସେନା ମୁଖ୍ୟ ଆଡମିରାଲ୍ ଆର ହରି କୁମାର, ଗୋଆ ରାଜ୍ୟପାଳ ପି ଏସ ଶ୍ରୀଧରନ ପିଲ୍ଲାଇ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର କହିଛନ୍ତି, ସ୍ୱଦେଶୀ ଯୁଦ୍ଧ ଜାହାଜ ନିର୍ମାଣ ଇତିହାସରେ ଆଜିର ଦିନ ଆଉ ଏକ ମାଇଲଖୁଣ୍ଟ ସାଜିଛି, କାରଣ ବିଧ୍ବଂସକ ‘ମୋରମୁଗାଓ’କୁ ହସ୍ତାନ୍ତର କରାଯାଇଛି।
ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ଆଇଏନଏସ୍ ମୋରମୁଗାଓ ଭାରତରେ ନିର୍ମିତ ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ଜାହାଜ ମଧ୍ୟରୁ ଅନ୍ୟତମ। ଏହା ଭାରତର ସାମୁଦ୍ରିକ କ୍ଷମତା ବୃଦ୍ଧି କରିବ। MDSL ଦ୍ୱାରା ନିର୍ମିତ ଏହି ଯୁଦ୍ଧ ଜାହାଜ ଆମର ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷମତାର ଏକ ଉତ୍ତମ ଉଦାହରଣ।