ସର୍ଚ୍ଚ ଅପରେସନ ଜାରି:phulbani
ଫୁଲବାଣୀ (ବ୍ୟୁରୋ ରିପୋର୍ଟ୍): ଗତ ୧୧ ତାରିଖରେ ବାଲିଗୁଡା ଥାନା ଅଧୀନ କାଣାସାଲୁ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟରେ ମୃତୁ୍ୟବରଣ କରିଥିବା ମହିଳା ମାଓବାଦୀର ଶବକୁ ରବିବାର ପୁଲିସ ପକ୍ଷରୁ ପୋତି ଦିଆଯାଇଛି । ମୃତକାଙ୍କ ପରିଚୟ ପୁଲିସର ହସ୍ତଗତ ହୋଇପାରି ନାହିଁ । ଗୁଳି ବିନିମୟ ପରେ ଗତ ଦୁଇ ଦିନ ଧରି ଏସ୍ଓଜି ଏବଂ ଡିଭିଏଫ୍ ବାହିନୀ ପକ୍ଷରୁ ସଂପୃକ୍ତ ସ୍ଥାନରେ ହୋଇଥିବା ସର୍ଚ୍ଚ ଅପରେସନରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ସ୍ଥାନୀୟ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ରହିଛି ପୋଷାକ, ଔଷଧ, ବାସନ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ।
ଏହି ସ୍ଥାନରେ ମାଓବାଦୀ ରହିଥିବା ସୂଚନା ପାଇ ସୁରକ୍ଷା ବାହିନୀ ପକ୍ଷରୁ ଗତ ୯ ତାରିଖରେ ଅପରେସନ ଆରମ୍ଭ କରାଯାଇଥିଲା । ମାଓ-ପୁଲିସ ଗୁଳି ବିନିମୟରେ ଜଣେ କ୍ୟାଡର ମହିଳା ମାଓବାଦୀଙ୍କ ମୃତୁ୍ୟ ହୋଇଥିଲା । ଏଠାରେ ୨୦ରୁ ଅଧିକ ମାଓବାଦୀ ରହିଥିବା ପୁଲିସ ଅନୁମାନ କରୁଥିବା ବେଳେ ଡିସିଏମ୍ ମମତା ଏହି ଦଳର ନେତୃତ୍ୱ ନେଉଥିବା ଏସ୍ପି ସୂଚନା ଦେଇଛନ୍ତି । ତାଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଛି । ସଂପୃକ୍ତ ସ୍ଥାନରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ଏସପି ଅଗ୍ରୱାଲ ପ୍ରକାଶ କରିଛନ୍ତି ।