୧୪ ଜଣିଆ ସମନ୍ୱୟ କମିଟି ଗଢିଲା ଇଣ୍ଡିଆ ମେଣ୍ଟ

୧୪ ଜଣିଆ ସମନ୍ୱୟ କମିଟି ଗଢିଲା ଇଣ୍ଡିଆ ମେଣ୍ଟ

ମୁମ୍ବାଇ:(ବ୍ୟୁରୋ ରିପୋର୍ଟ) ବିଜେପି ବିରୋଧରେ ଲଢ଼ିବାକୁ ୨୬ଟି ବିରୋଧୀ ଦଳ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ଦୁଇ ଦିନିଆ ବୈଠକରେ ୧୪ ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି । ଏହି ସମନ୍ୱୟ କମିଟି ଦଳର ଯୋଗାଯୋଗ ଓ ପ୍ରଚାର ରଣନୀତି ପ୍ରସ୍ତୁତ କରିବ । ଏଥିସହ ବିଭିନ୍ନ ପ୍ରକାରର ବୈଠକ ଓ ରାଲି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନେବ । ଏବେ ୧୩ ଦଳର ଜଣେ ଲେଖାଏଁ ସଦସ୍ୟ ଏହି କମିଟିରେ ଅଛନ୍ତି । ପରେ ସିପିଆଇଏମ୍ ଜଣେ ସଦସ୍ୟଙ୍କ ନାମ ସୁପାରିସ କରିବ । ବୈଠକରେ ସଂଯୋଜକ ନିଯୁକ୍ତି ହୋଇପାରି ନାହିଁ । ଆସନ ବୁଝାମଣା ଫର୍ମୁଲା ମଧ୍ୟ ସ୍ଥିରୀକୃତ ହୋଇପାରି ନାହିଁ । ଲୋଗୋ ବି ଚୂଡ଼ାନ୍ତ ହୋଇପାରି ନାହିଁ । ଲୋଗୋର ୬ଟି ଡିଜାଇନ୍ ସଟ୍ଲିଷ୍ଟ ହୋଇଥିଲା । ସେଥିରୁ ଗୋଟିକୁ ସମସ୍ତେ ପସନ୍ଦ କରିଥିଲେ । କିନ୍ତୁ କିଛି ପରିବର୍ତ୍ତନ ପାଇଁ ମତପ୍ରକାଶ ପାଇବାରୁ ଲୋଗୋ ଲଞ୍ଚ କରାଯାଇ ପାରିଲା ନାହିଁ । ସିଫ୍ଟ ଶେୟାରିଂ ଫର୍ମୁଲା ଆସନ୍ତା ୩୦ରେ ହୋଇପାରେ । ତେବେ ମେଣ୍ଟର ପ୍ରମୁଖ ଦଳ କଂଗ୍ରେସ ଏଥିପାଇଁ ବ୍ୟଗ୍ର ନୁହେଁ । ଆଗାମୀ ୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପରେ ଦଳର ସ୍ଥିତି ଦେଖି ନିଷ୍ପତ୍ତି ନେବାକୁ କଂଗ୍ରେସ ଥିଙ୍କ୍ ଟ୍ୟାଙ୍କ କହିଥିବା ଜଣାପଡ଼ିଛି । ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ନୂଆଦିଲ୍ଲୀରେ ହେବ । କିନ୍ତୁ ଏଥିପାଇଁ ତାରିଖ ସ୍ଥିର ହୋଇ ନାହିଁ ବୋଲି ସୁପ୍ରିୟା ସୁଲେ କହିଛନ୍ତି । ସମନ୍ୱୟ କମିଟିରେ କଂଗ୍ରେସର କେସି ବେଣୁଗୋପଳ, ଏନ୍ସିପିର ଶରଦ ପାୱାର, ଡିଏମ୍କେର ଏମକେ ଷ୍ଟାଲିନ, ଶିବସେନା (ଉଦ୍ଧବ ବାଲାସାହେବ ଠାକରେ)ର ସଞ୍ଜୟ ରାଉତ, ଜେଡିୟୁର ଲଲନ ସିଂହ, ଆରଜେଡିର ତେଜସ୍ୱୀ ଯାଦବ, ଟିଏମ୍ସିର ଅଭିଷେକ ବାନାର୍ଜୀ, ଆପ୍ ରାଘବ ଚଡା, ସପାର ଜାଭେଦ ଅଲୀ ଖାନ, ଜେଏମ୍ଏମ୍ର ହେମନ୍ତ ସୋରେନ, ସିପିଆଇର ଡି ରାଜା, ଏନ୍ସିର ଓମାର ଅବଦୁଲ୍ଲା ଓ ପିଡିପିର ମେହବୁବା ମୁଫତି ରହିଛନ୍ତି । ବିରୋଧୀଙ୍କ ଚେହେରା କୁହାଯାଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କିମ୍ବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମନ୍ୱୟ କମିଟିରେ ନାହାନ୍ତି । ମୁମ୍ବାଇ ବୈଠକରେ ଏକାଧିକ ସଂକଳ୍ପ ଗୃହୀତ ହୋଇଛି । ୨୦୨୪ ଲୋକସଭା ନିର୍ବାଚନ ଯଥାସମ୍ଭବ ଏକାଠି ଲଢ଼ିବାକୁ ବୈଠକରେ ସଂକଳ୍ପ ଗୃହୀତ ହୋଇଛି । ସବୁ ଦଳ ଏକାଠି ଲୋକସଭା ନିର୍ବାଚନ ଲଢ଼ିବେ । ମେଣ୍ଟର ସ୍ଲୋଗାନ ରହିବ “ଭାରତ, ଜିତେଗା ଇଣ୍ଡିଆ’ । ମେଣ୍ଟରେ ଥିବା ଦଳଗୁଡ଼ିକ ଦେଶର ବିଭିନ୍ନ ପ୍ରାନ୍ତରେ ଏକାଠି ରାଲି କରିବେ । ଲୋକଙ୍କ ସହ ଜଡ଼ିତ ପ୍ରସଙ୍ଗ ଓ ଗୁରୁତ୍ୱ ବହନ କରୁଥିବା ବିଷୟବସ୍ତୁ ଫୋକସରେ ରହିବ ବୋଲି ପାରିତ ହୋଇଥିବା ସଂକଳ୍ପରେ କୁହାଯାଇଛି । ତେବେ ମେଣ୍ଟର ସିଟ୍ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହୋଇପାରନି । ଗୋଟିଏ ନୂଆ ପ୍ୟାନେଲ ସିଟ୍ ଶେୟାରିଂ ଫର୍ମୁଲା ସମ୍ପର୍କରେ ନିଷ୍ପତ୍ତି ନେବ ।
ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଏହି ମଞ୍ଚ ଭାରତୀୟ ଜନସଂଖ୍ୟାର ୬୦ ପ୍ରତିଶତ ପ୍ରତିନିଧିତ୍ୱ କରୁଛି । ଯଦି ମଞ୍ଚରେ ଥିବା ଦଳଗୁଡ଼ିକ ଏକାଠି ହୁଅନ୍ତି, ବିଜେପି ପାଇଁ ଆଗାମୀ ନିର୍ବାଚନ ଜିତିବା ଅସମ୍ଭବ ହୋଇପଡ଼ିବ । ଏଥିପାଇଁ ବିରୋଧୀ ଦଳ ନେତାମାନଙ୍କୁ ଏକାଠି ହେବାକୁ ସେ ନିବେଦନ କରିଥିଲେ । ଦୁଇ ଦିନିଆ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ରାହୁଲ ଗାନ୍ଧି କହିଛନ୍ତି, ଦୁଇଟି ବଡ଼ ପଦକ୍ଷେପ ନିଆଯାଇଛି । କେନ୍ଦ୍ରୀୟ ସମନ୍ୱୟ କମିଟି ଗଠନ କରାଯିବା ସହ ସମସ୍ତ ଆସନ ବୁଝାମଣା ଭିତ୍ତିରେ ବଣ୍ଟନ ଲାଗି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଏହି ମଞ୍ଚ ଭାରତୀୟ ଜନସଂଖ୍ୟାର ୬୦ ପ୍ରତିଶତ ପ୍ରତିନିଧିତ୍ୱ କରୁଛି । ଯଦି ମଞ୍ଚରେ ଥିବା ଦଳଗୁଡ଼ିକ ଏକାଠି ହୁଅନ୍ତି, ବିଜେପି ପାଇଁ ଆଗାମୀ ନିର୍ବାଚନ ଜିତିବା ଅସମ୍ଭବ ହୋଇପଡ଼ିବ । ଏଥିପାଇଁ ବିରୋଧୀ ଦଳ ନେତାମାନଙ୍କୁ ଏକାଠି ହେବାକୁ ସେ ନିବେଦନ କରିଥିଲେ । ଦୁଇ ଦିନିଆ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ରାହୁଲ ଗାନ୍ଧି କହିଛନ୍ତି, ଦୁଇଟି ବଡ଼ ପଦକ୍ଷେପ ନିଆଯାଇଛି । କେନ୍ଦ୍ରୀୟ ସମନ୍ୱୟ କମିଟି ଗଠନ କରାଯିବା ସହ ସମସ୍ତ ଆସନ ବୁଝାମଣା ଭିତ୍ତିରେ ବଣ୍ଟନ ଲାଗି ନିଷ୍ପତ୍ତି ନିଆଯାଇଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!