୨୭ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଅଟକ
ବଲାଙ୍ଗୀର:(ବ୍ୟୁରୋରିପୋର୍ଟ୍)ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବାଗଳାବନ୍ଧ ଗାଁରେ ପୁଲିସ ଚଢ଼ାଉ କରି ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏହା ସହିତ ୨ ଜଣ ଦଲାଲଙ୍କୁ ଅଟକ ରଖି ପଚରା ଉଚରା କରୁଛି।
ଉଦ୍ଧାର ହୋଇଥିବା ଶ୍ରମିକ ମାନେ ହେଲେ ବରଗଡ଼ ଜିଲ୍ଲା ବିଜେପୁର ଓ ସୋନପୁର ଜିଲ୍ଲାର। ସେମାନଙ୍କୁ ବାଗଳାବନ୍ଧ ଗାଁର ଦାଦନ ଦଲାଲ ମୋହନ ମେହେର ମୁଣ୍ଡ ପିଛା ୧୧ ହଜାର ଟଙ୍କା ଲେଖାଏ ବଇନା ଦେଇ ନିଜ ଗାଁରେ ରଖିଥିଲା। ଆଜି ରାତିରେ ସେମାନଙ୍କୁ ଆନ୍ଧ୍ରପ୍ରଦେଶକୁ ଚଲାଣ କରିବାର ଯୋଜନା ଥିଲା। ତେବେ ଏ ସଂପର୍କରେ ପାଟଣାଗଡ଼ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା।
ପୁଲିସ୍ର ଏକ ଟିମ୍ ବାଗଳାବନ୍ଧ ଗାଁରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ୭ ଜଣ ଶିଶୁ ଅଛନ୍ତି।
ପୁଲିସ ୨ ଦାଦନ ଦଲାଲ ମୋହନ ମେହେର ଓ ଥବିର ରାଜହଂସଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।
TAGS #ଦାଦନ ଶ୍ରମିକ