୭ରେ ଆସିବେ ଆମେରିକା ରାଷ୍ଟ୍ରପତି
ନୂଆଦିଲ୍ଲୀ :(ବ୍ୟୁରୋ ରିପୋର୍ଟ) ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ସମେତ ୨୪ରୁ ଅଧିକ ବିଶ୍ୱ ନେତା । ରାଷ୍ଟ୍ରପତି ବାଇଡନ୍ ୭ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚôବେ । ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ । ଅବଶ୍ୟ ଏ ସମ୍ପର୍କରେ ଆନୁଷ୍ଠାନିକଭାବେ ଘୋଷଣା କରାଯାଇନାହିଁ । ୮ ତାରିଖ ଦିନ ଅନ୍ୟ ଜି-୨୦ ନେତାମାନଙ୍କ ଆଗମନ ହେବ । ତା’ପରଦିନ ପୂର୍ବାହ୍ଣ ୯ଟାରୁ ୧୦ଟା ଭିତରେ ପ୍ରଧାନମନ୍ତ୍ରୀ ୨୪ରୁ ଅଧିକ ରାଷ୍ଟ୍ର ମୁଖ୍ୟଙ୍କୁ ସ୍ୱାଗତ କରିବେ । ପ୍ରଥମ ଦିନ ଭାରତ ମଣ୍ଡପମ୍ ରିସେପ୍ସନ୍ରେ ଅତିଥିମାନଙ୍କୁ ଭାରତର ଐତିହ୍ୟ ସମ୍ପର୍କରେ ସୂଚନା ଦେବ ଏଆଇ ଆଙ୍କର । ବିଦେଶୀ ଅତିଥିମାନଙ୍କ ନିରାପତ୍ତା ପାଇଁ ନୂଆଦିଲ୍ଲୀରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଦୁଇଦିନିଆ ଜି-୨୦ ସମ୍ମିଳନୀ ପାଇଁ ମୋଟ୍ ୩ଟି ଅଧିବେଶନ ବ୍ୟବସ୍ଥା ହୋଇଛି । ପ୍ରଥମ ଅଧିବେଶନ ୯ ତାରିଖ ପୂର୍ବାହ୍ଣ ପ୍ରାୟ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ପ୍ରାୟ ସାଢେ ୧ଟା ବେଳେ ସରିବ । ପ୍ରଥମ ଅଧିବେଶନର ବିଷୟବସ୍ତୁ ୱାନ୍ ଆର୍ଥ/ପ୍ଲାନେଟ୍ ।
ଏହି ଅଧିବେଶନରେ ନିରନ୍ତର ବିକାଶ ଓ ସ୍ଥିର ଆର୍ଥôକ ବିକାଶକୁ ଆଗେଇ ନେବା ପ୍ରସଙ୍ଗରେ ଆଲୋଚନା ହେବ । ସେହିଦିନ ମଧ୍ୟାହ୍ନ ଭୋଜନ ପରେ ଅନୁଷ୍ଠିତ ହେବ ଦ୍ୱିତୀୟ ଅଧିବେଶନ । ଏହାର ନାମ ରଖାଯାଇଛି ୱାନ୍ ଫାମିଲି । ପ୍ରଥମ ଦିନର କାର୍ଯ୍ୟକ୍ରମ ଭାରତ ମଣ୍ଡପମ୍ରେ ରାତ୍ରିଭୋଜନ ସହ ଶେଷ ହେବ । ସେଠାରେ ପ୍ରାୟ ୪୦୦ ଅତିଥିଙ୍କ ପାଇଁ ରାତ୍ରିଭୋଜନ ବ୍ୟବସ୍ଥା ହୋଇଛି । ରାଷ୍ଟ୍ରପତିଙ୍କ ତରଫରୁ ରାତ୍ରିଭୋଜନ ଦିଆଯିବ ।
୧୦ ତାରିଖ ଦିନ ଜି-୨୦ ରାଷ୍ଟ୍ରଗୋଷ୍ଠୀର ନେତାମାନେ ରାଜଘାଟ ଗସ୍ତ କରିବେ । ଏହାପରେ ସେମାନେ ଭାରତ ମଣ୍ଡପମ୍ରେ ବୃକ୍ଷରୋପଣ କରିବେ । ଦ୍ୱିତୀୟ ଦିନ ସମ୍ମିଳନୀର ତୃତୀୟ ଅଧିବେଶନ ଆୟୋଜନ କରାଯାଇଛି । ତା’ର ନାମ ରଖାଯାଇଛି ଏକ ଭବିଷ୍ୟ । ସେହି ଅଧିବେଶନରେ ଗଣତନ୍ତ୍ର, ଡିଜିଟାଲ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଏହାପରେ ପ୍ରତିକାତ୍ମକଭାବେ ପ୍ରଧାନମନ୍ତ୍ରୀ ମୋଦି ଜି-୨୦ର ଅଧ୍ୟକ୍ଷତା ବ୍ରାଜିଲକୁ ହସ୍ତାନ୍ତର କରିବେ । ବ୍ରାଜିଲ ଡିସେମ୍ବର ୧ରୁ ଆନୁଷ୍ଠାନିକଭାବେ ଜି-୨୦ର ଅଧ୍ୟକ୍ଷତା କରିବ ।
ଜି-୨୦ ରାଷ୍ଟ୍ରଗୋଷ୍ଠୀର ସଦସ୍ୟ ରହିଛନ୍ତି ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚୀନ୍, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, କୋରିଆ, ମେକ୍ସିକୋ, ରୁଷ୍, ସାଉଦୀ ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ୍, ଆମେରିକା ଓ ୟୁରୋପୀୟ ସଂଘ ।