ଏସିଆ କପ୍ ସେମିରେ ଭାରତ:

ଏସିଆ କପ୍ ସେମିରେ ଭାରତ:

ସିଲହଟ(ଵ୍ୟୁରୋ ରିପୋର୍ଟ): ଭାରତ ମହିଳା ଏସିଆ କପ୍ର ସେମିଫାଇନାଲ୍ରେ ପ୍ରବେଶ କରିଛି । ଭାରତ ଶନିବାର ଖେଳାଯାଇଥିବା ମ୍ୟାଚ୍ରେ ବାଂଲାଦେଶକୁ ଏକତରଫା ଭାବେ ୫୯ ରନ୍ରେ ମାତ୍ ଦେଇଛି । ଟୁର୍ଣ୍ଣାମେଣ୍ଟରେ ଏହା ଟିମ୍ର ଚତୁର୍ଥ ବିଜୟ । ଅନ୍ତିମ-୪ ପର୍ଯ୍ୟାୟ ଅକ୍ଟୋବର ୧୩ରୁ ଖେଳାଯିବ ।
ଭାରତୀୟ ଅଧିନାୟିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା । ଜବାବରେ ବାଂଲାଦେଶ ଟିମ୍ ୭ ୱିକେଟ୍ ହରାଇ କେବଳ ୧୦୦ ରନ୍ କରିବାକୁ ସମର୍ଥ ହୋଇଥିଲା । ଭାରତ ପକ୍ଷରୁ ୪୪ ବଲ୍ରୁ ୫୫ ରନ୍ର ଇନିଂସ୍ ଖେଳିବା ସହ ୪ ଓଭର୍ରେ ମାତ୍ର ୧୦ ରନ୍ ଦେଇ ୨ ୱିକେଟ୍ ନେଇଥିବା ଶେଫାଲୀ ବର୍ମା ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଥିଲେ ।
ମେଘନା-ଶେଫାଲୀଙ୍କ
୯୬ ଭାଗୀଦାରୀ
ଭାରତୀୟ ଓପନର୍ ଅଧିନାୟିକା ଦାୟିତ୍ୱ ତୁଲାଉଥିବା ସ୍ମୃତି ମାନ୍ଧାନା ଓ ଶେଫାଲୀ ବର୍ମା ଦମ୍ଦାର ଢଙ୍ଗରେ ଇନିଂସ୍ ଆରମ୍ଭ କରିଥିଲେ । ପାୱାରପ୍ଲେ ସୁଦ୍ଧା ସ୍କୋର୍ ହୋଇଥିଲା ବିନା ୱିକେଟ୍ରେ ୫୯ ରନ୍ । ଟିମ୍ ୫.୨ ଓଭର୍ରେହିଁ ୫୦ ରନ୍ କରିଥିଲା । ୧୦ ଓଭର୍ ଶେଷ ସୁଦ୍ଧା ଉଭୟଙ୍କ ଦମ୍ରେ ସ୍କୋର୍ ଥିଲା ବିନା ୱିକେଟ୍ରେ ୯୧ ରନ୍ ।
୧୨ତମ ଓଭର୍ରେ ଟିମ୍କୁ ପ୍ରଥମ ଝଟ୍କା ଲାଗିଥିଲା । ମାନ୍ଧାନା (୩୮ ବଲ୍ରୁ ୪୭ ରନ୍) ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିଲା । ତାଙ୍କ ଇନିଂସ୍ରେ ୬ ଚୌକା ଥିଲା । ଓପନିଂ ୱିକେଟ୍ ପାଇଁ ୬୨ ବଲ୍ରୁ ୯୬ ରନ୍ର ଭାଗୀଦାରୀ ହୋଇଥିଲା । ୪୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିବା ଶେଫାଲୀ ବ୍ୟକ୍ତିଗତ ୫୫ (୪୪ ବଲ୍ରୁ) ରନ୍ରେ ରୁମାନା ଅହମଦଙ୍କ ଶିକାର ହୋଇଥିଲେ । ତାଙ୍କ ଇନିଂସ୍ରେ ୫ ଚୌକା ଓ ୨ ଛକା ରହିଥିଲା ।

ଏହାପରେ ଜେମିମା ରୋଡ୍ରିଗ୍ସଙ୍କ ଛଡ଼ା ଅନ୍ୟ କାହା ଠାରୁ ଭଲ ପ୍ରଦର୍ଶନ ଦେଖିବାକୁ ମିଳି ନ ଥିଲା । ରିଚା ଘୋଷ (୪) ଓ କିରଣ ପ୍ରଭୁ ନଭଗିରେ (୦) ରୁମାନାଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଦୀପ୍ତି ଶର୍ମା ୧୦ ରନ୍ କରି ସଲମା ଖାତୁନଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ରୋଡ୍ରିଗ୍ସ ୨୪ ବଲ୍ରୁ ଅପରାଜିତ ୩୫ ଓ ପୂଜା ବସ୍ତ୍ରାକାର ୧ ରନ୍ କରି ଅପରାଜିତ ଥିଲେ ।
୧୬୦ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ବାଂଲାଦେଶ ଟିମ୍ର ଶୀର୍ଷକ୍ରମଙ୍କୁ ଛାଡ଼ିଦେଲେ, ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ରନ୍ରେଟ୍ ମଧ୍ୟ ଟିମ୍ ପାଇଁ ଅନ୍ୟ ଏକ ସମସ୍ୟା ଥିଲା । ଟିମ୍ ପକ୍ଷରୁ ତିନି ନମ୍ବର ବ୍ୟାଟର୍ ଅଧିନାୟକ ନିଗର ସୁଲ୍ତାନା ସର୍ବାଧିକ ୩୬ ରନ୍ କରିଥିବା ବେଳେ ଫରଗାନା ହଗ୍ ୩୦, ମୁର୍ଶିଦା ଖାତୁନ ୨୧ ରନ୍ର ଇନିଂସ୍ ଖେଳିଥିଲେ ।

Spread the love
CATEGORIES
Share This

COMMENTS

Wordpress (0)
Disqus ( )
error: Content is protected !!