ନିଶ୍ଚିନ୍ତା ଗ୍ରାମରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି
ବାଲେଶ୍ବର :(ବ୍ୟୁରୋ ରିପୋର୍ଟ୍) ବାଲେଶ୍ବର ସଦର ବ୍ଲକ୍ ବଇଁଚା ପଞ୍ଚାୟତ ନିଶ୍ଚିନ୍ତା ଗ୍ରାମରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି। ରାସ୍ତା ଶୋଚନୀୟ ଥିବାରୁ ଗ୍ରାମ ଭିତରକୁ ଆମ୍ବୁଲାନ୍ସ ଯାଇପାରି ନଥିଲା। ଫଳରେ ଜଣେ ଗର୍ଭବତୀ ମହିଳା ଚାଲି ଚାଲି ଆମ୍ବୁଲାନ୍ସ ପାଖକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ତାଙ୍କର ପ୍ରସବ ହୋଇଯାଇଥିଲା। ଫଳରେ ମହିଳାଙ୍କୁ ବିଛଣା ଚାଦରରେ ବୋହି ଆମ୍ବୁଲାନ୍ସ ଯାଏ ନିଆଯାଇଥିଲା। ମା’ ଓ ନବଜାତ ଶିଶୁକନ୍ୟାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି। ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଥିବା ବେଳେ ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠିଛି।
ଶନିବାର ସକାଳେ ଗ୍ରାମର ପପୁ ମହାଳିକଙ୍କ ପତ୍ନୀ ପୂଜାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ଘର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସିପାରି ନଥିଲା। ଫଳରେ ଗର୍ଭବତୀ ପୂଜା ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଯାଉଥିଲେ। ଏତିକିବେଳେ ରାସ୍ତାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ଗ୍ରାମବାସୀ ମା’ ଓ ନବଜାତକଙ୍କୁ ବିଛଣା ଚାଦରରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ଉକ୍ତ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବହୁ ବର୍ଷରୁ ଗ୍ରାମରେ ରାସ୍ତା ନିର୍ମାଣ ନେଇ ଦାବି ହୋଇଆସୁଥିବା ବେଳେ କେହି ଗୁରୁତ୍ବ ଦେଇନାହାନ୍ତି। ଯାହା ଜଣାପଡ଼ିଛି, ଗ୍ରାମ ରାସ୍ତାରେ ୨୫୦ ମିଟର ଜାଗା ଜଣେ ଘରୋଇ ଲୋକଙ୍କର ହୋଇଥିବା ବେଳେ ରାସ୍ତା ନିର୍ମାଣରେ ସେ ବାଧା ସୃଷ୍ଟି କରୁଛନ୍ତି। ବର୍ଷ ବର୍ଷ ଧରି ଶୋଚନୀୟ ରାସ୍ତାରେ ଲୋକେ ଯାତାୟାତ କରୁଛନ୍ତି। ଆଜି ଜିଲ୍ଲାପାଳ ଘଟଣାକୁ ଗୁରୁତ୍ବ ଦେଇ ବିଡିଓ ଓ ସ୍ଥାନୀୟ ସରପଞ୍ଚ ଉକ୍ତ ଜାଗା ମାଲିକଙ୍କ ସହ କଥାବାର୍ତ୍ତା କରିବାକୁ କହିଛନ୍ତି ଏବଂ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି