ଡାକ ଭୋଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

ଡାକ ଭୋଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

ଭଦ୍ରକ:(ବ୍ୟୁରୋ ରିପୋର୍ଟ୍) ବୁଥ୍କୁ ଯିବା ପାଇଁ ଅସମର୍ଥ ବୃଦ୍ଧ ଓ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ଉଦ୍ଦିଷ୍ଟ ଡାକ ଭୋଟ ବ୍ୟବସ୍ଥାରେ ମତଦାନ ନିମିତ୍ତ ତାଲିମ କାର୍ଯ୍ୟକ୍ରମ ବୁଦବାର ସନ୍ଧ୍ୟାରେ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଶିକ୍ଷଣ ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ନିରଞ୍ଜନ କୁମାର, ଡାକ ଭୋଟ ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ମନୋଜ ପାତ୍ର, ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ସହକାରୀ ଜିଲ୍ଲାପାଳ, ନିର୍ବାଚନ କସ୍ତୁରୀବାଳା ଜେନା ପ୍ରମୁଖ ଯୋଗ ଦେଇଥିଲେ । ମତଦାନ କରିବା ପାଇଁ ୧୨ ଡି ଫର୍ମରେ ଆଗୁଆ ସ୍ୱୀକୃତି ଦେଇଥିବା ଭୋଟରମାନଙ୍କ ଘରକୁ ଯାଇ ପୋଲିଂ ଦଳ ମତଦାନ ସଂଗ୍ରହ କରିବା ପ୍ରକ୍ରିୟା ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥିଲା । ୫୦୫ ଜଣ ଭୋଟର ଏହି ବ୍ୟବସ୍ଥାରେ ଡ଼ାକଭୋଟ ଦେବା ପାଇଁ ଆଗୁଆ ସ୍ୱୀକୃତି ପ୍ରଦାନ କରିଛନ୍ତି । ପ୍ରତି ପୋଲିଂ ଦଳରେ ଜଣେ ପ୍ରିଜାଇଡ଼ିଂ ଅଧିକାରୀ, ଜଣେ ପୋଲିଂ ଅଧିକାରୀ, ଜଣେ ମାଇକ୍ରୋ ଅବଜରଭର ଓ ଜଣେ ପୋଲିସ୍ ରହିବେ । ସମସ୍ତ କାର୍ଯ୍ୟକ୍ରମର ଭିଡ଼ଓଗ୍ରାଫି କରାଯିବ । ବି.ଏଲ୍.ଓ. ମତଦାତାଙ୍କ ଘର ଦେଖାଇବେ । ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ଏହି ଭୋଟ ଗ୍ରହଣ କରାଯିବ । ରାଜନୈତିକଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ଏଜେଣ୍ଟ ପଠାଇବା ପାଇଁ ଏହି ମତଦାନ ନେଇ ଦିନ, ସମୟ , ରୁଟଚାର୍ଟ ଆଦି ସମ୍ବନ୍ଧରେ ସେମାନଙ୍କୁ ଅବଗତ କରାଯିବ । ଅକ୍ଟୋବର ୨୨ ଓ ୨୩ ଦୁଇ ଦିନରେ ମତଦାନ ସଂଗ୍ରହ କରାଯିବ । ଜଣେ ମତଦାତା ପ୍ରଥମ ଥର ଉପଲବ୍ଧ ନ ହେଲେ ଦ୍ୱିତୀୟ ଦିନରେ ଆଉ ଥରେ ସୁଯୋଗ ଦିଆଯିବ । କଲମ ଦ୍ୱାରା ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କ ଚିହ୍ନ ଚହ୍ନଟ କରିବେ । ମତଦାତାଙ୍କ ଘର ଭିତରେ ଭୋଟିଂ କମ୍ପାଟ୍ମେଣ୍ଟ୍ ପ୍ରସ୍ତୁତ କରାଯିବ । ୨୨ ତାରିଖ ସକାଳ ୭ଟାରେ ପୋଲିଂ ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଭୋଟ ବାକ୍ସ ଓ ଅନ୍ୟାନ୍ୟ ଉପକରଣ ନେଇ ବାହାରିବେ । ପ୍ରତିଦିନ ଭୋଟ ସଂଗ୍ରହ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଫେରିବେ ଓ ଟ୍ରେଜେରୀରେ ଭୋଟ ବାକ୍ସ ଗଚ୍ଛିତ ରହିବ ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!