ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ନୂଆ ପିଢିର ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି :
ବାଲେଶ୍ୱର:(ବ୍ୟୁରୋରିପୋର୍ଟ୍) ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ନୂଆ ପିଢିର ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ୍’ ବା ଅଗ୍ନି-ପି’ର ଶୁକ୍ରବାର ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆର୍ଡିଓ)ସୂତ୍ର ଅନୁଯାୟୀ ଓଡିଶାର ଏପିଜେ ଅବଦୁଲ୍ କାଲାମ୍ ଦ୍ୱୀପସ୍ଥିତ ଲଞ୍ଚର ସାହାଯ୍ୟରେ ଶୁକ୍ରବାର ପୂର୍ବାହ୍ଣ ୯.୪୫ ମିନିଟ୍ରେ ଅଗ୍ନି ପ୍ରାଇମ୍ର ଉତ୍କ୍ଷେପଣ କରାଯାଇଥିଲା । ବିଶେଷ ଇନ୍ଧନଯୁକ୍ତ ତଥା ଦେଢ ଟନ୍ ଓଜନର ପରମାଣୁ ଆୟୁଧ ପରିବହନକ୍ଷମ ଏହି କ୍ଷେପଣାସ୍ତ୍ର ୧ ହଜାରରୁ ୨ ହଜାର କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାରେ ସକ୍ଷମ ହୋଇଛି ।
ଅଗ୍ନି ପ୍ରାଇମ୍ର ଏହା ତୃତୀୟ ପରୀକ୍ଷଣ । ଗତବର୍ଷ ଜୁନ୍ ମାସରେ ଏବଂ ଡିସେମ୍ବର ୧୮ ତାରିଖ ଦିନ କଲାମ ଦୀପରେ ଯେଉଁ ପରୀକ୍ଷଣ କରାଯାଇଥିଲା ତାହା ବେଶ୍ ସଫଳ ହୋଇଥିଲା । ଡିଆର୍ଡିଓ ଅଧିକାରୀମାନେ କହିଛନ୍ତି ଶୁକ୍ରବାର ପରୀକ୍ଷଣବେଳେ ୧୦.୫ ମିଟର ଲମ୍ବ ଓ ଦେଢ ମିଟର ପ୍ରସ୍ଥ ବିଶିଷ୍ଟ ଅଗ୍ନି ପ୍ରାଇମ୍ର ଗତିପଥ ଉପରେ ନଜର ରଖିବା ଲାଗି ବିଭିନ୍ନ ସ୍ଥାନରେ ରାଡାର୍ ଓ ଇଲେକ୍ଟ୍ରୋ ଅପ୍ଟିକାଲ୍ ସିଷ୍ଟମ୍ ତଥା ଟେଲିମେଟ୍ରି ଉପକରଣ ଖଞ୍ଜା ଯାଇଥିଲା । ଅଗ୍ନି ପ୍ରାଇମ୍ ଅଗ୍ନି କ୍ଷେପଣାସ୍ତ୍ରର ଅପ୍ଗ୍ରେଡ୍ ଭର୍ସନ୍ । ଏହା ଡବଲ୍ ଷ୍ଟେଜ୍ ଓ ସଲିଡ୍ ଫୁ୍ୟଏଲ୍ ଆଧାରିତ କ୍ଷେପଣାସ୍ତ୍ର । ଆଡଭାନ୍ସଡ ରିଙ୍ଗ୍ ଲେଜର ଗାଇରୋସ୍ସ୍କୋପ୍ ଆଧାରିତ ନାଭିଗେସନ୍ ସିଷ୍ଟମ୍ ଦ୍ୱାରା ଅଗ୍ନି ପ୍ରାଇମ୍କୁ ନିଦେ୍ର୍ଦଶିତ କରାଯାଇଥାଏ । ଏଥିରେ ଗାଇଡେଡ୍ ସିଷ୍ଟମ୍ ଇଲେକ୍ଟ୍ରୋ ମେକାନିକାଲ୍ ଆକୁ୍ୟଟର୍ ଖଞ୍ଜା ଯାଇଛି । ଏହାଛଡା ଏଥିରେ ଏମ୍ଆଇଆର୍ଭି ପ୍ରଯୁକ୍ତି ବ୍ୟବସ୍ଥା ଅଛି ଯାହା ଏହାର କାର୍ଯ୍ୟକ୍ଷମତାକୁ ବଢାଇଥାଏ । ଏକ ସଙ୍ଗେ ଭିନ୍ନ ଭିନ୍ନ ଟାର୍ଗେଟ୍କୁ ପରମାଣୁ ଅସ୍ତ୍ର ଦ୍ୱାରା ଧ୍ୱଂସ କରିବାରେ ଅଗ୍ନି ପ୍ରାଇମ୍ ସକ୍ଷମ ।
ଅଗ୍ନି-ପି’ରେ ୧୫୦୦ରୁ ୩ ହଜାର କେଜିର ଅସ୍ତ୍ର ଖଞ୍ଜାଯାଇପାରିବ । ଯେକୌଣସି ସ୍ଥାନକୁ ନେଇ ରେଳ ବା ସଡକ ପଥରୁ ଏହାକୁ ଉତ୍କ୍ଷେପଣ କରାଯାଇପାରିବ । ୪ ହଜାର କିଲୋମିଟର ଟାର୍ଗେଟ୍ ଭେଦ କରିପାରୁଥିବା ଅଗ୍ନି-୪ ଓ ୫ ହଜାର କିମି ଭେଦ କରୁଥିବା ଅଗ୍ନି-୫ ଠାରୁ ଅଗ୍ନି-ପି ହାଲୁକା । ଅଗ୍ନି-୩ ଠାରୁ ଏହାର ଓଜନ ୫୦ ପ୍ରତିଶତ କମ୍ ।