କୋଏମ୍ବାଟୁର ବିସ୍ପୋରଣରେ କୁଖ୍ୟାତ ଆତଙ୍କବାଦୀ ISIS ଲିଙ୍କ୍

କୋଏମ୍ବାଟୁର ବିସ୍ପୋରଣରେ କୁଖ୍ୟାତ ଆତଙ୍କବାଦୀ ISIS ଲିଙ୍କ୍

କୋଏମ୍ବାଟୁର:ଏକ ସପ୍ତାହ ପୂର୍ବେ ତାମିଲନାଡୁର କୋଏମ୍ବାଟୁର ଅଞ୍ଚଳରେ ହୋଇଥିବା କାର ବିସ୍ଫୋରଣ ଘଟଣାରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ର ଲିଙ୍କ୍ ରହିଥିବା ଜଣାପଡିଛି । ତାମିଲନାଡୁ ପୁଲିସ୍ ଏହି ମାମଲାରେ ତଦନ୍ତ କରୁଥିବା ବେଳେ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନଙ୍କୁ ଜେରା କରାଯିବା ସମୟରେ ଏମାନେ ଦେଇଥିବା ବୟାନ୍ ଭିତ୍ତିରେ କାର ବିସ୍ଫୋରଣ ଘଟଣାରେ ଆଇଏସ୍ଆଇଏସ୍ର ସମ୍ପୃକ୍ତି ଥିବା ତାମିଲନାଡୁ ପୁଲିସ୍ ସନେ୍ଦହ ବ୍ୟକ୍ତ କରିଛି । ଏପ୍ରିଲ୍ ୨ଠ୧୯ରେ ଶ୍ରୀଲଙ୍କାରେ ଆଇଏସ୍ଆଇଏସ୍ ପକ୍ଷରୁ କରାଯାଇଥିବା ଆତଙ୍କୀ ହମ୍ଲାରେ ସମ୍ପୃକ୍ତ ଆତଙ୍କୀଙ୍କୁ କୋଏମ୍ବାଟୁର ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସାକ୍ଷାତ କରିଥିବା ଜେରା ବେଳେ ସ୍ୱୀକାର କରିଥିବା ପୁଲିସ୍ ଦର୍ଶାଇଛି । ତେବେ ତାମିଲନାଡୁ ପୁଲିସ୍ର ଏପ୍ରକାର ବୟାନ୍ ଆସିବାର ଦିନକ ପୂର୍ବରୁ ଏହି ମାମଲାକୁ ଏନ୍ଆଇଏକୁ ହସ୍ତାନ୍ତର କରାଯାଇଛି । ସମ୍ପ୍ରତି ଏନ୍ଆଇଏ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ, ୨୩ ଅକ୍ଟୋବରରେ କୋଏମ୍ବାଟୁରରେ ଥିବା ସଙ୍ଗମେଶ୍ୱର ମନ୍ଦିର ନିକଟରେ ଛିଡା ହୋଇଥିବା ଏକ କାର ହଠାତ୍ ବିସ୍ଫୋରିତ ହୋଇଥିଲା । ଏଥିରେ ଜଣେ ୨୯ ବର୍ଷୀୟ ଯୁବ ଇଞ୍ଜିନିୟର ପ୍ରାଣ ହରାଇଥିଲା । ପରବର୍ତ୍ତୀ ସମୟରେ ବିସ୍ଫୋରଣରେ ମୃତ ଏହି ଯୁବ ଇଞ୍ଜିନିୟରର ନାମ ଜେମିଶା ମୁବିନ୍ ଏବଂ ସେ ଆଇଏସ୍ଆଇଏସ୍ ପାଇଁ କାମ କରୁଥିବା ବୋଲି ଜଣାପଡିଥିଲା । ଆଇଏସ୍ଆଇଏସ୍ର କୁଖ୍ୟାତ ଆତଙ୍କୀ କମାଣ୍ଡର ମହମ୍ମଦ ଆଜାରୁଦ୍ଦିନ୍ର ସେ ନିକଟତମ ସହଯୋଗୀ ବୋଲି ଅଭିଯୋଗ ଆଧାରରେ ୨ଠ୧୮ରେ ମଧ୍ୟ ମୁବିନ୍କୁ ଏନ୍ଆଇଏ ଗିରଫ କରିଥିଲା । କିନ୍ତୁ ତା’ ବିରୋଧରେ କୌଣସି ପ୍ରମାଣ ନମିଳିବାରୁ ତାକୁ ମୁକ୍ତ କରିଦିଆଯାଇଥିଲା । ତେବେ କୋଏମ୍ବାଟୁର ବିସ୍ଫୋରଣ ପରେ ଆରମ୍ଭ ହୋଇଥିବା ତଦନ୍ତ ପରିପ୍ରେକ୍ଷୀରେ ମୁବିନ୍ ମନ୍ଦିର ଏବଂ ଆଖପାଖ ଘରଗୁଡ଼ିକୁ ଟାର୍ଗେଟ୍ କରିଥିଲା ବୋଲି ଏନ୍ଆଇଏ ଜାଣିବାକୁ ପାଇଛି । ପରେ ମୁବିନ୍ର ଠିକଣାରେ ଚଢ଼ଉ କରାଯିବା ପରେ ସେଠାରୁ ୭୫ କେଜିର ବିସ୍ଫୋରକ ସାମଗ୍ରୀ (ପୋଟାସିୟମ୍ ନାଇଟ୍ରେଟ୍, ଆଲୁମିନିୟମ ପାଉଡର ଓ ସଲଫର୍) ମିଳିଥିଲା ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!