ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ
ଭୁବନେଶ୍ୱର:(କାଞ୍ଚନଟିଭି/ରୂପାଲୀ ନାୟକ) ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ସବୁଆଡ଼େ ଉତ୍ସାହ ଲାଗି ରହିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ପୂର୍ବାହ୍ନ ୧୦ଟା୫୦ରେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଥିଲେ । ସେଠାରେ ତାଙ୍କୁ ସ୍ୱାଗତ ଜଣାଇ ପାଛୋଟି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ଦଳର ନେତା ତଥା ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ । ସେଠାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା ।
ଭୁବନେଶ୍ୱରରୁ ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ଚପରରେ ସିଧାସଳଖ ପୁରୀ ଅଭିମୁଖେ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ । ରାଷ୍ଟ୍ରପତି ୧୧ଟା୪୦ରେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚôଥିଲେ । ସେଠାରୁ ଚପରରୁ ଓହ୍ଲାଇବା ପରେ ସଡ଼କପଥରେ ଶ୍ରୀମନ୍ଦିରକୁ ଯାଇଥିଲେ । ପୁରୀରୁ ଅପରାହ୍ନରେ ଭୁବନେଶ୍ୱର ଫେରି, ରାଜଧାନୀର ୮ ସ୍ଥାନରେ ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ପରେ ରାଜଭବନ ଯାଇ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ ।
ସୂଚନାଯୋଗ୍ୟ, ରାଜଭବନରେ ତାଙ୍କର ରାତ୍ରିଯାପନ ବ୍ୟବସ୍ଥା ହୋଇଛି । ଗସ୍ତର ଦ୍ୱିତୀୟ ଦିନରେ ରାଜଧାନୀର ୨ ସ୍କୁଲ ପରିଦର୍ଶନ ପରେ ଦିନ ୧୧ଟାରେ ଶେଷ କାର୍ଯ୍ୟକ୍ରମ ରହିଛି ଜୟଦେବ ଭବନରେ । ଏହାପରେ ସେ ଦିଲ୍ଲୀ ବାହୁଡ଼ିଯିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱର ଓ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିମାନବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ ୩୪ ପ୍ଲାଟୁନ୍ ଫୋର୍ସ ସହ ୨ ଶହ ସବ୍ଇନ୍ସପେର, ୬୨ ଜଣ ଏସିପି, ୨୨ ଏଡିସିପି ରାଙ୍କର ଅଫିସର ଓ ୪ ଡିସିପି ରାଙ୍କର ଅଫିସର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ସେହିପରି ପୁରୀରେ ବି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୁରୀରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତାଳବଣିଆ ହେଲିପ୍ୟାଡକୁ କଡ଼ା ସୁରକ୍ଷାରେ ରଖାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଯେପରି ସାଧାରଣ ଲୋକଙ୍କ ଅସୁବିଧା ହେବନି ସେ ନେଇ ମଧ୍ୟ ଦୃଷ୍ଟି ଦିଆଯାଇଛି ।
ଅପରାହ୍ଣରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ପରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟ, ଗୀତ ଓ ବାଦ୍ୟ ସହିତ ସ୍ୱାଗତ କରାଯାଇଥିଲା । ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ବିମାନବନ୍ଦରରେ ହଜାର ହଜାର ଲୋକଙ୍କର ଭିଡ଼ ଦେଖାଯାଇଥିଲା । ଲୋକେ ଜାତୀୟ ପତାକା ଧରି ରାସ୍ତାକଡ଼ରେ ଛିଡ଼ା ହୋଇଥିଲେ । ନିଜମାଟିର ଝିଅ ତଥା ରାଷ୍ଟ୍ରପତିଙ୍କ ଝଲକ ପାଇବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ।